ସେତେବେଳେ ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ୁଥାଏ। ସେଦିନ ଥାଏ ଗୁରୁଦିବସ। ପ୍ରତିବର୍ଷ ଭଳି ସେଦିନ ବି ଗୁରୁଦିବସ ପାଇଁ ସ୍କୁଲ୍ରେ ସଭା ଆୟୋଜନ ହୋଇଥାଏ। ଆମ ସାମ୍ନାରେ ଚଉକିରେ ଗୁରୁଜୀ ଗୁରୁମା’ ବସିଥାଆନ୍ତି। ଆମେ ସବୁ ଛାତ୍ରୀଛାତ୍ର ଧାଡ଼ି ଧାଡ଼ି ହୋଇ ବସିଥାଉ। ଗୁରୁଜୀ ଗୁରୁମା’ ଆମକୁ ଏକଲବ୍ୟ ଓ ବାରୁଣିଙ୍କ ଭଳି ଶିଷ୍ୟମାନଙ୍କର ଗୁରୁଭକ୍ତି ବିଷୟରେ ଅନେକ ଶିକ୍ଷଣୀୟ କଥା କହୁଥା’ନ୍ତି। ଭାଷଣ ସରିଲା ପରେ ଗୁରୁପୂଜା କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥାଏ। ଆମେ ଅଧିକାଂଶ ପିଲା ଘରୁ ଫୁଲମାଳ ତିଆରି କରି ଆଣିଥାଉ। ଜଣଙ୍କ ପରେ ଜଣେ ଗୁରୁଙ୍କ ବେକରେ ଫୁଲମାଳ ପିନ୍ଧେଇ ପାଦ ଛୁଇଁ ପ୍ରଣାମ କରିବାକୁ ତଳେ ବସି ଅପେକ୍ଷା କରିଥାଉ। ହଠାତ୍ ଗଣିତ ସାର୍ ଆମ ଆଡ଼କୁ ଚାହିଁ କହିଲେ- ବାଃ, ହାରଟା ବଢ଼ିଆ ହେଇଛି। କତା ଆଣିଛୁ କି ନାହିଁ? ମୁଁ କିଛି ବୁଝିପାରିଲି ନାହିଁ। ମୋର ଥିଲା ଏକ ସୁନ୍ଦର ଟଗର ଫୁଲ ହାର, ଯାହା ମଝିରେ ଗୁନ୍ଥିଥିଲି ଗୋଟେ ବଡ଼ ଲାଲ୍ ମନ୍ଦାର ଫୁଲ। ଅନ୍ୟମାନଙ୍କର ବି ସେଇ ଟଗର, ମନ୍ଦାର ଓ ପତ୍ରମିଶା ଫୁଲ ହାର ଥିଲା। କାରଣ ଏବେ ଯେପରି ଭଳିକି ଭଳି ରଙ୍ଗିନ ଫୁଲଗଛ ସବୁ ଅଧିକାଂଶଙ୍କ ଘର ଆଗରେ ଶୋଭା ପାଉଛି, ସେତେବେଳେ ଆମମାନଙ୍କ ବାଡ଼ି ବଗିଚାରେ ସେଭଳି ଫୁଲ ନ ଥିଲା। କେବଳ ଟଗର ଓ ମନ୍ଦାର ହିଁ ମିଳୁଥିଲା। ସାର୍ଙ୍କ କଥା ଶୁଣି ସଭିଙ୍କୁ ଦେଖିଲି। ପ୍ରଫୁଲ୍ଲର ମାଳରେ ଥିଲା ଖାଲି ଲାଲ ମନ୍ଦାରଫୁଲ। ତେଣୁ ପୂରା ଅଲଗା ଲାଗୁଥିଲା। ଗଣିତ ସାର୍ ଆଉ ଥରେ ହସି ହସି କହିଲେ- ପ୍ରଫୁଲିଆ, ଲାଲ ମନ୍ଦାର ମାଳ ଆଣିଛୁ। କତା ଆଣିଛୁ କି ନାହିଁ, କତା… କତା …। ମୁଁ ଭାବିଲି, ଆଜି ଗଣେଶ ପୂଜା କିମ୍ବା ସରସ୍ବତୀ ପୂଜା ତ ନୁହେଁ, ତେଣୁ ଝୁଣା ଦେବାର ନାହିଁ। ତେବେ ସାର୍ କାହିଁକି ନଡ଼ିଆ କତା ଖୋଜୁଛନ୍ତି? ତାଙ୍କ ପାଖରେ ବସିଥିଲେ ସାହିତ୍ୟ ସାର୍। ସେ ହସି ହସି କହିଲେ- ସାର ପଚାରୁଛନ୍ତି, କଟୁରି ଆଣିଛୁ କି ନାହିଁ। ଲାଲ ମନ୍ଦାର ମାଳ ସାଙ୍ଗକୁ କଟୁରି- ଏବେ ଗଣିତ ସାର୍ଙ୍କ କଥାର ଅର୍ଥ ସମସ୍ତେ ବୁଝି ହସିବାକୁ ଲାଗିଲେ। ଗଣିତ ସାର୍ ହସି ହସି କହିଲେ- ପ୍ରଫୁଲ୍ଲର ମାଳ ଦେଖି ବୋଦା ବେକରେ ମନ୍ଦାର ମାଳ ପକେଇ ବଳି ଦେବା କଥା ମୋର ମନେ ପଡ଼ିଗଲା। ସାର୍ଙ୍କ ବୋଦା-ବଳି କଥା ଶୁଣି ଆମେ ଆଉ ଥରେ ହସିଲୁ। ସମସ୍ତେ ହସିଲା ଭିତରେ ମୁଁ ମୋ ମାଳରୁ ଲୁଚେଇ କି ବଡ଼ ମନ୍ଦାର ଫୁଲଟା ବାହାର କରିଦେଲି । ତେଣୁ ଗୁରୁଜୀଙ୍କୁ ବିନା ମନ୍ଦାର ଫୁଲବାଲା ଟଗର ମାଳ ପିନ୍ଧେଇ ଘରକୁ ଫେରିଲି।