ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବାରୁ…

ବାଙ୍ଗିରିପୋଷି,୨୮।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଶିମିଳାରେ ଏକ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ପାଇଁ ବଚସାକୁ କେନ୍ଦ୍ରକରି ନିଜ କକାଙ୍କୁ ହାଣି ହତ୍ୟା କରିଛନ୍ତି ପୁତୁରା। ପୋଲିସ ଗୁରୁବାର ଏକ ହତ୍ୟା ମାମଲା (ନଂ.୨୫୨/୨୧) ରୁଜୁ କରି ପୁତୁରା ଡୋରା ମୁଣ୍ଡା ଓ ସୁବାସିନୀ ଦେହୁରୀ ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଶିମିଳା ଅଞ୍ଚଳରେ ମାଠ ମୁଣ୍ଡା(୫୫) ଓ ସ୍ତ୍ରୀ କଟି ମୁଣ୍ଡା ଦିନମଜୁରିଆ ଭାବେ କାମ କରି ଚଳୁଥିଲେ। ସେମାନଙ୍କ ପାଖରେ ବିବାହିତ ପୁତୁରା ଡୋରାଙ୍କ ସହ ତାଙ୍କ ପରିବାର ରହୁଥିଲେ। ହେଲେ ଡୋରାଙ୍କର ଝାରପୋଖରିଆ ଥାନା ଅଞ୍ଚଳର ସୁବାସିନୀଙ୍କ ସହ ପରକୀୟା ପ୍ରୀତି ରହିଥିଲା। ଏହାକୁ ନେଇ ପୂର୍ବରୁ କକା ପୁତୁରାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବୁଧବାର ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ନିଶାସକ୍ତ ଅବସ୍ଥାରେ ଥିବା ଡୋରା କକା ମାଠଙ୍କୁ ବାଉଁଶରେ ଆକ୍ରମଣ କରିଥିଲେ। ମାଠ ଘଟଣାସ୍ଥଳରୁ ଦୌଡ଼ି ପଳାଉଥିବା ବେଳେ ଅଳ୍ପ ଦୂରରେ ତାଙ୍କର ଜୀବନ ଚାଲିଯାଇଥିଲା। ଅନ୍ୟପକ୍ଷେ କଟି ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ବାରିପଦା ସଦର ଏସ୍‌ଡିପିଓ କେ.କେ. ହରିପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ବାଙ୍ଗିରିପୋଷି ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଶୁକ୍ରବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।

Share