ପ୍ରକଳ୍ପ ଥାଇ ଚୁଆ ଭରସା

ଢେଙ୍କାନାଳ ଅଫିସ,୯।୪: ପ୍ରକଳ୍ପ ଅଛି। ହେଲେ ପାଣି ଆସୁନାହିଁ। ଫଳରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମୟରେ ଚୁଆକୁ ଭରସା କରି ଦିନ କାଟୁଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଲେଥେକା ପଞ୍ଚାୟତ ନୂଆପଡ଼ା ଗ୍ରାମବାସୀ। ଅଚଳ ମୋଟର ସଜଡ଼ାଯାଉ ନ ଥିବାରୁ ପ୍ରାୟ ୨ ମାସ ହେଲା ୨୦୦୦ରୁ ଊର୍ଦ୍ଧ୍ୱ ଲୋକ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି।
ଅଭିଯୋଗ ଅନୁଯାୟୀ, ନୂଆପଡ଼ା ଏବଂ ଓରନ୍ଦା ଗ୍ରାମବାସୀଙ୍କୁ ହାତପାଆନ୍ତାରେ ପାନୀୟ ଜଳ ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ନିର୍ମିତ ହୋଇଛି ପ୍ରକଳ୍ପ। ତେବେ ୨ ମାସ ହେଲା ଏହାର ମୋଟର ପୋଡ଼ି ଯାଇଥିବାରୁ ଜଳଯୋଗାଣ ଠପ୍‌ ହୋଇଯାଇଛି। ଏହା ଉପରେ ନିର୍ଭରଶୀଳ ନୂଆପଡ଼ା ଓ ଓରନ୍ଦା ଗ୍ରାମବାସୀ କୁଆରିଆ ନାଳରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ମହିଳାମାନେ ଦୀର୍ଘପଥ ଅତିକ୍ରମ କରି ହାଣ୍ଡି, ମାଠିଆରେ ପାଣି ବୋହିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଅଭିଯୋଗ କରିବା ପରେ ବି ଜନପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ଧରାଛୁଅଁା ଦେଉନାହାନ୍ତି। ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତର ବିଡିଓ ଆଶିଷ ରଞ୍ଜନ ସାହୁ କୁହନ୍ତି, ପ୍ରକଳ୍ପ ନିର୍ମାଣ ପରେ ୫ ବର୍ଷ ପାଇଁ ଠିକାଦାର ଏହାର ପରିଚାଳନା କରିବେ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ଠିକାଦାର କଥା ଶୁଣୁନାହାନ୍ତି। ତେଣୁ ସରପଞ୍ଚଙ୍କ ସହ ଆଲୋଚନା କରି ଟ୍ୟାଙ୍କର ଯୋଗେ ଜଳଯୋଗାଣ ବ୍ୟବସ୍ଥା କରାଯିବ। ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା କୁହନ୍ତି, ପ୍ରକଳ୍ପ ଅଚଳ ହେବା ସମ୍ପର୍କରେ ଠିକାଦାରଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ଏହାର ମରାମତି କରି ପାଣିଯୋଗାଣ ସ୍ବାଭାବିକ କରିବା ପାଇଁ କୁହାଯାଇଛି।