ହାଜତ ମୃତ୍ୟୁ: ବଡ଼ଚଣା ଥାନା ଅଧିକାରୀଙ୍କୁ ବଦଳି

ଚଣ୍ଡିଖୋଲ,୭ା୧(ଡି.ଏନ୍‌.ଏ.): ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ଫାଣ୍ଡିରେ ହାଜତ ମୃତ୍ୟୁ ମାମଲାରେ ନୂଆ ଏସ୍‌ପି ବିନୀତ ଅଗ୍ରଓ୍ବାଲ ଶନିବାର ସାରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ସିନ୍ଧୁପୁର ଗ୍ରାମର ଈଶ୍ୱର ସେଠୀଙ୍କ ଧାନମଣ୍ଡଳ ଫାଣ୍ଡି ହାଜତରେ ମୃତୁ ଘଟିଥିବା ଅଭିଯୋଗ ହୋଇଛି। ଈଶ୍ୱରଙ୍କ ବାପା ପଦନ ସେଠୀ ଦେଇଥିବା ଏତଲାରେ ବଡ଼ଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି। ଏସ୍‌ପି ଅଗ୍ରଓ୍ବାଲ ଥାନା ଅଧିକାରୀ ନାୟକଙ୍କୁ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ନାୟକଙ୍କୁ ତୁରନ୍ତ ଥାନା ଛାଡ଼ିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଥାନାର ଦାୟିତ୍ୱ ତୁଲାଇବାକୁ ଏସ୍‌ଆଇ ମହମ୍ମଦ ସୁରଜଙ୍କୁ ପତ୍ରସଂଖ୍ୟା-୬୯ରେ କୁହାଯାଇଛି। ସୂଚନା ଅନୁଯାୟୀ ଦଳିତ ମହାସଂଘ ଏବଂ ଅଲ୍‌ ଓଡ଼ିଶା ଏସ୍‌ସି, ଏସ୍‌ଟି, ଓବିସି, ମାଇନୋରିଟି ୟୁନାଇଟେଡ୍‌ ଫୋରମ୍‌ ପକ୍ଷରୁ ଏକ ଟିମ୍‌ ଶନିବାର ଯାଜପୁର ଏସ୍‌ପିଙ୍କୁ ଭେଟି ହାଜତ ମୁତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରିଥିଲା।