ଦୁବାଇ,୧୮।୧୦: ଟି-୨୦ ବିଶ୍ୱକପ୍କୁ ନେଇ ବେଶ ଆଶାବାଦୀ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହାଜଲେଉଡ୍। ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ମ୍ୟାଚ୍ ଖେଳିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିଥିଲା। ଏହା ବିଶ୍ୱକପ୍ ପାଇଁ ଭଲ ପ୍ରସ୍ତୁତି ଥିଲା। ଏହାଦ୍ୱାରା ଭଲ ଫାଇଦା ମିଳିବ ବୋଲି ହାଜଲେଉଡ୍ କହିଛନ୍ତି।
୩୦ ବର୍ଷୀୟ ଏହି କ୍ରିକେଟର ଆଇପିଏଲ୍ର ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବା ଲାଗି ନିଷ୍ପତ୍ତି ନେଇଥିଲେ। ହେଲେ ଅନ୍ୟ ୩ ସାଥୀ ଆଇପିଏଲ୍ ଖେଳିବାକୁ ଆସି ନ ଥିଲେ। ଏହାକୁ ନେଇ ହାଜଲେଉଡ୍ ଅଷ୍ଟ୍ରେଲିଆ ଗଣମାଧ୍ୟମକୁ କହିଛନ୍ତି, ଦୁବାଇର ପରିସ୍ଥିତି ଏବଂ ପରିବେଶ ବହୁତ ଗରମ। ବିଶ୍ୱକପ୍ ପୂର୍ବରୁ ଏଠାରେ ଟି-୨୦ର ଅନେକ ମ୍ୟାଚ୍ ଖେଳିବାର ସୁଯୋଗ ମିଳିବା ଭଲ କଥା ବୋଲି ସେ କହିଛନ୍ତି।
ଏହାଛଡ଼ା ସେ ନିଜ ଭୂମିକାକୁ ନେଇ ଆଶ୍ୱସ୍ତ ଅଛନ୍ତି। ଚେନ୍ନାଇ ହେଉ ଅବା ଅଷ୍ଟ୍ରେଲିଆ, ତାଙ୍କର ଭୂମିକା ସମାନ ରହିବ। ଆରମ୍ଭରୁ କିଛି ଓଭର ଏବଂ ପରେ ଶେଷରେ କିଛି ଓଭର। ଏଥିପାଇଁ ଯେକୌଣସି ସ୍ଥିତିକୁ ନେଇ ଆତ୍ମବିଶ୍ୱାସ ଭରପୂର ରହିଛି ବୋଲି କହିଛନ୍ତି ହାଜଲେଉଡ୍।