Categories: ଜାତୀୟ

ଭର୍ଚୁଆଲ ଶୁଣାଣିକୁ ହାଇକୋର୍ଟ ମନା କରିପାରିବେନି: ସିଜେଆଇ

ନୂଆଦିଲ୍ଲୀ,୭ା୧୦: ଦେଶର ସମସ୍ତ ହାଇକୋର୍ଟ ଭର୍ଚୁଆଲ ଶୁଣାଣି ଜାରି ରଖିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର କହିବା ସହ ପ୍ରତ୍ୟେକ ବିଚାରପତି ପ୍ରଯୁକ୍ତିରେ ଦକ୍ଷ ହେବାକୁ ଦୋହରାଇଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଶୁଣାଣି ପାଇଁ ଭିଡିଓ କନ୍‌ଫରେନ୍ସିଂ ବ୍ୟବହାରକୁ ସମ୍ପୂର୍ଣ୍ଣ ବର୍ଜନ କରିଥିବା ଅଭିଯୋଗ ସମ୍ପର୍କିତ ପିଟିଶନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଉପରୋକ୍ତ ମତ ଦେଇଛନ୍ତି। କୌଣସି ହାଇକୋର୍ଟ ଭର୍ଚୁଆଲ ଶୁଣାଣିକୁ ମନା କରିପାରିବେ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ପୂର୍ବରୁ ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଶର ସମସ୍ତ ହାଇକୋର୍ଟ ଓ ଟ୍ରିବ୍ୟୁନାଲଗୁଡ଼ିକୁ ନୋଟିସ୍‌ ଜାରି କରିଥିଲେ। ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ଜଣେ ବିଚାରପତି ପ୍ରଯୁକ୍ତିରେ ଦକ୍ଷ କି ନୁହନ୍ତି, ତାହା ପ୍ରସଙ୍ଗ ନୁହେଁ। ଦେଶର ବିଚାରପତି ହେବାକୁ ହେଲେ ପ୍ରଯୁକ୍ତି ଅନୁକୂଳ ହେବାକୁ ପଡ଼ିବ। ଯଦି ହୋଇ ନ ଥାନ୍ତି, ତେବେ ପ୍ରଯୁକ୍ତିରେ ପର୍ଯ୍ୟାପ୍ତ ତାଲିମ ନେବାକୁ ହେବ। ସୁପ୍ରିମକୋର୍ଟର ଯେଉଁ ବିଚାରପତି ସ୍ବତନ୍ତ୍ର କେନ୍ଦ୍ରରେ ତାଲିମ ନେଉଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରଯୁକ୍ତି ଏକ ବିକଳ୍ପ ନୁହେଁ ବରଂ ଅତ୍ୟାବଶ୍ୟକ ବୋଲି ସିଜେଆଇ କହିବା ସହ ବମ୍ବେ ହାଇକୋର୍ଟଙ୍କ ବ୍ୟାପାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ବିଖଣ୍ଡିତ ଫଙ୍କଶନାଲ ସ୍କ୍ରିନ୍‌ କିପରି ପରିଚାଳନା କରୁଛନ୍ତି। ହାଇବ୍ରିଡ୍‌ ଶୁଣାଣି ସୁବିଧା ବିନା ସେମାନେ କିପରି କାମ ଚଳାଉଛନ୍ତି ବୋଲି ସିଜେଆଇ ପ୍ରଶ୍ନ କରିଥିଲେ।

Share