Categories: ଜାତୀୟ

କେନ୍ଦ୍ରକୁ ହାଇକୋର୍ଟ ଝଟକା: ସରକାର ଫେକ୍‌ ନ୍ୟୁଜ୍‌ର ସଂଜ୍ଞା ନିରୂପଣ କରିପାରିବେ ନାହିଁ

ମୁମ୍ବାଇ,୨୧ା୯:ସୂଚନା ଓ ପ୍ରଯୁକ୍ତି (ଆଇଟି) ଆଇନ ଅଧୀନରେ ଫ୍ୟାକ୍ଟ ଚେକିଂ ୟୁନିଟ୍‌ (ଏଫ୍‌ସିୟୁ) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ଉଦ୍ୟମକୁ ଝଟ୍‌କା ଲାଗିଛି। ଷ୍ଟାଣ୍ଡ୍‌ଅପ କମେଡିଆନ୍‌ କୁନାଲ କାମରାଙ୍କ ଆବେଦନର ଶୁଣାଣି କରି ଶୁକ୍ରବାର ବମ୍ବେ ହାଇକୋର୍ଟ ଏହାକୁ ସମ୍ବିଧାନ ବିରୋଧୀ କହି ଖାରଜ କରିଦେଇଛନ୍ତି। ଫେକ୍‌ ନ୍ୟୁଜ କ’ଣ ତାହା କେନ୍ଦ୍ର ନିର୍ଦ୍ଧାରଣ କରିପାରିବ ନାହଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ଜଷ୍ଟିସ୍‌ ଏ.ଏସ୍‌. ଚନ୍ଦୁରକର କୁନାଲଙ୍କ ପିଟିଶନର ଶୁଣାଣି କରି କହିଛନ୍ତି, ଅନ୍‌ଲାଇନ୍‌ରେ ଫେକ୍‌ ନ୍ୟୁଜ୍‌କୁ ଚିହ୍ନଟ କରିବା ପାଇଁ କେନ୍ଦ୍ରକୁ ଫ୍ୟାକ୍ଟ-ଚେକ୍‌ ୟୁନିଟ୍‌ ପ୍ରତିଷ୍ଠା ସକାଶେ କ୍ଷମତା ପ୍ରଦାନକାରୀ ଆଇଟି ସଂଶୋଧନ ନିୟମ, ୨୦୨୩ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪ ଓ ୧୯ର ପରିପନ୍ଥୀ। ଏହି ବିଷୟରେ ବିସ୍ତୃତ ଭାବେ ବିଚାର କରିବା ପରେ ସରକାରଙ୍କ ସଂଶୋଧିତ ନିୟମ ଅନୁଚ୍ଛେଦ ୧୪ (ସମାନତା ଅଧିକାର), ୧୯ (ବାକ୍‌ ଓ ଅଭିବ୍ୟକ୍ତି ଅଧିକାର) ଏବଂ ୧୯(୧)(ଜି) (ବୃତ୍ତିଗତ ସ୍ବାଧୀନତା ଓ ଅଧିକାର) ବିରୋଧରେ ଯାଉଥିବା ଜଣାପଡ଼ିଛି। ତେଣୁ ଆଇଟି ନିୟମରେ ପ୍ରସ୍ତାବିତ ସଂଶୋଧନକୁ ଖାରଜ କରାଯାଉଛି। ଆଇଟି ରୁଲ୍ସରେ ରହିଥିବା ‘ଜାଲ୍‌, ମିଥ୍ୟା ଓ ବିଭ୍ରାନ୍ତିକର’ ସଂଜ୍ଞାରେ କୌଣସି ସ୍ପଷ୍ଟତା ନ ଥିବାରୁ ଏହା ଏକ ଭୁଲ୍‌ ପଦକ୍ଷେପ ବୋଲି ଜଷ୍ଟିସ୍‌ ଚନ୍ଦୁରକର କହିଛନ୍ତି।

ଗତ ଜାନୁଆରୀରେ ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ ଏହି ପ୍ରସଙ୍ଗରେ ବିଭାଜିତ ରାୟ ଦେବା ପରେ ଉକ୍ତ ମାମଲା ଜଣେ ତୃତୀୟ ବିଚାରପତିଙ୍କ ନିକଟକୁ ଶୁଣାଣି ପାଇଁ ପଠାଯାଇଥିଲା। ଜାନୁଆରୀରେ ଜଷ୍ଟିସ୍‌ ଗୌତମ ପଟେଲ ଏବଂ ନୀଲା ଗୋଖଲେଙ୍କ ଖଣ୍ଡପୀଠ ଏହା ଉପରେ ପୃଥକ୍‌ ପୃଥକ୍‌ ରାୟ ଦେଇଥିଲେ। ଜଷ୍ଟିସ୍‌ ପଟେଲ ରୁଲ୍ସକୁ ଖାରଜ କରିଦେଇଥିବାବେଳେ ଜଷ୍ଟିସ୍‌ ଗୋଖଲେ ଏହାକୁ ବଳବତ୍ତର ରଖିଥିଲେ। ଜଷ୍ଟିସ୍‌ ପଟେଲ କହିଥିଲେ, ଏହି ନିୟମ ସେନ୍‌ସରଶିପ୍‌ ସହ ସମାନ। କିନ୍ତୁ ଜଷ୍ଟିସ୍‌ ଗୋଖଲେ ମୁକ୍ତ ଅଭିବ୍ୟକ୍ତିକୁ ଏହା ବିଶେଷ ପ୍ରଭାବିତ କରୁ ନ ଥିବା ଦର୍ଶଆଇଥିଲେ। ଫ୍ୟାକ୍ଟ-ଚେକ୍‌ ୟୁନିଟ୍‌ ଗଠନ ନେଇ କେନ୍ଦ୍ର ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଉପରେ ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ। ସର୍ବୋଚ୍ଚ ଅଦାଲତ କହିଥିଲେ, ବମ୍ବେ ହାଇକୋର୍ଟ ଏହି ନିୟମର ସାମ୍ବିଧାନିକ ବୈଧତା ଉପରେ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ସରକାର ଏହାକୁ କାର୍ଯ୍ୟକାରୀ କରିପାରିବେ ନାହିଁ। କୁନାଲ କାମରା ଓ ଅନ୍ୟ ଆବେଦନକାରୀମାନେ ନିଜ ପିଟିଶନରେ ଦର୍ଶାଇଥିଲେ, କେନ୍ଦ୍ରର ସଂଶୋଧନ ବାକ୍‌ ଓ ଅଭିବ୍ୟକ୍ତି ପରିପ୍ରକାଶ ଉପରେ ଏକ କଟକଣା। ଆବେଦନକାରୀମାନେ ଏହାକୁ କେନ୍ଦ୍ର ସରକାରଙ୍କ ଅନ୍‌ଲାଇନ ସେନ୍‌ସରଶିପ୍‌ ବୋଲି ଅଭିଯୋଗ ଆଣିଥିଲେ। ଏହାଦ୍ୱାରା ଅନାବଶ୍ୟକ ଭାବେ ଜଣେ ବ୍ୟକ୍ତିଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ଦର୍ଶାଇଥିଲେ।

Share