Categories: ଜାତୀୟ

ରାଜୀବ ହତ୍ୟା ମାମଲା: ନଳିନୀ, ରବିଚନ୍ଦ୍ରନଙ୍କ ଆବେଦନ ଖାରଜ

ଚେନ୍ନାଇ,୧୭।୬: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଜେଲରୁ ମୁକ୍ତି ପାଇଁ ନଳିନୀ ଶ୍ରୀହରନ ଏବଂ ରବିଚନ୍ଦ୍ରନ କରିଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ରାଜ୍ୟପାଳଙ୍କ ସ୍ବୀକୃତି ବିନା ସେମାନଙ୍କୁ ଜେଲରୁ ଖଲାସ ଲାଗି ନିର୍ଦ୍ଦେଶ ଦେବାକୁ ଦୁଇ ଅପରାଧୀ ଆବେଦନ କରିଥିଲେ। ସମ୍ବିଧାନର ଅନୁଚ୍ଛେଦ ୨୨୬ରେ ସୁପ୍ରିମକୋର୍ଟଙ୍କୁ ମିଳିଥିବା ସ୍ବତନ୍ତ୍ର କ୍ଷମତା ହାଇକୋର୍ଟ ପାଖରେ ନାହିଁ ବୋଲି ମୁଖ୍ୟ ବିଚାରପତି ଏମ୍‌.ଏନ୍‌. ଭଣ୍ଡାରୀ ଓ ଜଷ୍ଟିସ ଏନ୍‌ ମାଳାଙ୍କ ଖଣ୍ଡପୀଠ ଦର୍ଶାଇଛନ୍ତି। ଅନ୍ୟତମ ଅପରାଧୀ ଏ.ଜି. ପେରାରିଭାଲାନଙ୍କୁ ମୁକ୍ତ କରିବା ଲାଗି ଗତମାସ ୧୮ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସମ୍ବିଧାନର ଅନୁଚ୍ଛେଦ ୧୪୨ରେ ସର୍ବୋଚ୍ଚ ଅଦାଲତକୁ କ୍ଷମତା ମିଳିଛି। ସେହି ମାନଦଣ୍ଡ ହାଇକୋର୍ଟଙ୍କ କ୍ଷେତ୍ରରେ ଲାଗୁ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ତାମିଲନାଡୁର ଏଆଇଏଡିଏମ୍‌କେ କ୍ୟାବିନେଟ ୨୦୧୮ ସେପ୍ଟେମ୍ବରରେ ସମସ୍ତ ୭ ଅଭିଯୁକ୍ତଙ୍କୁ ଜେଲରୁ ମୁକ୍ତ କରିଦେବାକୁ ସୁପାରିସ କରିଥିଲେ। ଏହି ସୁପାରିସକୁ ତତ୍କାଳୀନ ରାଜ୍ୟପାଳ ବନଓ୍ବରିଲାଲ୍‌ ପୁରୋହିତଙ୍କ ନିକଟକୁ ପଠାଯାଇଥିଲା। ରାଜ୍ୟପାଳ କୌଣସି ପଦକ୍ଷେପ ନ ନେବାରୁ ଅଭିଯୁକ୍ତମାନେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ଆବେଦନ ଖାରଜ ହୋଇଯିବା ପରେ ରାଜ୍ୟପାଳଙ୍କ ବିନା ସହମତିରେ ସେମାନଙ୍କୁ ମୁକ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ସେମାନେ ପୁନର୍ବାର ରିଟ୍‌ ପିଟିଶନ ଦାଏର କରିଥିଲେ।

Share