ଗିରଫ ଟ୍ୟୁଶନ ଶିକ୍ଷକ ଜେଲ ଗଲେ

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ)-ଜନୈକା କଲେଜ ଛାତ୍ରୀଙ୍କୁ ଅପହରଣ ଓ ବଳତ୍କାର ଘଟଣାରେ ବଡବଜାର ଥାନା ପୋଲିସ ଜଣେ ଟ୍ୟୁଶନ ଶିକ୍ଷକଙ୍କୁ ଗିରଫ କରିଛି। ସେ ହେଲେ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଗୁରୁ କୁମାର ଗୌଡ(୨୩)। ଗତ ୨୦ତାରିଖ ସନ୍ଧ୍ୟାରେ ପୋଲିସ ଅପହୃତା ଛାତ୍ରୀଙ୍କୁ ନୂଆବସଷ୍ଟାଣ୍ଡ ନିକଟରୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ମଧ୍ୟ କାବୁ କରିଥିଲା। ପୀଡ଼ିତାଙ୍କ ବୟାନ ଅନୁସାରେ ଅଭିଯୁକ୍ତ ଟ୍ୟୁଶନ ଶିକ୍ଷକ ତାଙ୍କୁ ଅପହରଣ କରି ଖଲ୍ଲିକୋଟ ଅଞ୍ଚଳର ଏକ ଲଜରେ ରଖି ଏକାଧିକଥର ବଳାତ୍କାର କରିଛନ୍ତି। ସେହିପରି ଛାତ୍ରୀଙ୍କୁ ଅପହରଣ ଓ ବଳତ୍କାର ଅଭିଯୋଗରେ ପୋଲିସ ଗୁରୁ କୁମାରଙ୍କୁ ଗିରଫ କରିଥିଲା। ଶୁକ୍ରବାର ଉଭୟେ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତାଙ୍କୁ କୋର୍ଟ ନିର୍ଦ୍ଦେଶରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଧାରା ୧୬୪ ଅନୁଯାୟୀ କୋର୍ଟରେ ପିଡିତାଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି। ଘଟଣାରୁ ପ୍ରକାଶ ଗୁରୁ ପୁରୁଷୋତ୍ତମପୁର ଅଞ୍ଚଳରେ ଟ୍ୟୁସନ କରୁଛନ୍ତି। ଛାତ୍ରୀଜଣଙ୍କ ମଧ୍ୟ ତାଙ୍କ ପାଖରେ ୯ମ ଓ ୧୦ମ ଶ୍ରେଣୀରେ ଟ୍ୟୁଶନ ପଢୁଥିଲେ। ସେ ମାଟ୍ରିକ ପାସ୍‌ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ଅଭିଭାବକଙ୍କ ସହ ବ୍ରହ୍ମପୁର ଚାଲିଆସିଥିଲେ। ପୀଡିତା ଛାତ୍ରୀ ଗତ ୧୯ତାରିଖରେ ସେ ପଢୁଥିବା କଲେଜକୁ ଗଣେଶ ପୂଜା ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ କୌଣସି ସନ୍ଧାନ ନପାଇବାରୁ ବଡବଜାର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ୍‌ ୩୪୭/୨୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Share