ଲାଞ୍ଚ ଟଙ୍କାରେ ଫ୍ଲାଟ୍‌ କିଣି ମା’ଙ୍କୁ ଉପହାର ଦେଲେ

ଭୁବନେଶ୍ୱର,୧୬।୧୦(ସତ୍ୟଜିତ୍‌ ରାଉତ): ଜାହାଜ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ସିବିଆଇ ଦ୍ୱାରା ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନ (ପିଏଚ୍‌ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ଗିରଫ ହୋଇଥିଲେ।  ବର୍ତ୍ତମାନ ତାଙ୍କ ବହୁ ଗୁମର ଫିଟିବାରେ ଲାଗିଛି। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ରାଜେନ୍ଦ୍ର ଜେଲ ଯାଇଛନ୍ତି। ତେବେ ଏହି ରିମାଣ୍ଡ ଅବଧି ସମୟରେ ଡାକ୍ତରଙ୍କ ବିପୁଳ ସମ୍ପତ୍ତି ବିଷୟରେ ସିବିଆଇ ତଥ୍ୟ ପାଇଛି। ଲାଞ୍ଚ ଟଙ୍କାରେ ରାଜେନ୍ଦ୍ର ଭୁବନେଶ୍ୱର ନୟାପଲ୍ଲୀରେ ଏକ ଫ୍ଲାଟ୍‌ କିଣି ମା’ଙ୍କୁ ଉପହାର ଦେଇଥିଲେ ବୋଲି ସିବିଆଇ ଜାଣିବାକୁ ପାଇଛି। ଜଣେ ବିଲ୍ଡରଙ୍କଠାରୁ ୮୦ ଲକ୍ଷ ଟଙ୍କାରେ ସେ ଏହି ୩ ବିଏଚ୍‌କେ ଫ୍ଲାଟ୍‌ କିଣିଥିଲେ। ତେଣୁ ଉକ୍ତ ବିଲ୍ଡରଙ୍କୁ ସିବିଆଇ ଖୁବ୍‌ଶୀଘ୍ର ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।
ସେହିପରି ଅଭିଯୁକ୍ତ ରାଜେନ୍ଦ୍ର ଲାଞ୍ଚ ଟଙ୍କା ସମ୍ପର୍କୀୟ ଲୋକଙ୍କୁ ଦେଇଥିବା ସିବିଆଇ ପାଖରେ ମାନିଛନ୍ତି। ଏପରିକି ସେମାନଙ୍କ ତାଲିକା ମଧ୍ୟ ସେ ଦେଇଛନ୍ତି। ଏହି ଦିଗକୁ ନେଇ ରାଜେନ୍ଦ୍ରଙ୍କ ସମ୍ପର୍କୀୟଙ୍କୁ ସିବିଆଇ ପର୍ଯ୍ୟାୟକ୍ରମେ କାର୍ଯ୍ୟାଳୟକୁ ଡାକି ଜେରା କରିବ ବୋଲି ମଧ୍ୟ ଜଣାପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟରେ ୩ ଦିନର ରିମାଣ୍ଡ ଅବଧି ମଙ୍ଗଳବାର ସରିବାକୁଥିବା ବେଳେ ଗୋଟିଏ ଦିନ ପୂର୍ବରୁ ସିବିଆଇ ସ୍ବତନ୍ତ୍ର କୋର୍ଟରେ ରାଜେନ୍ଦ୍ରଙ୍କୁ ହାଜର କରାଯାଇଥିଲା। ରାଜେନ୍ଦ୍ରଙ୍କ ପକ୍ଷରୁ ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ। ତେବେ ଏହାର ଶୁଣାଣି ମଙ୍ଗଳବାର ହେବ ବୋଲି କୋର୍ଟ ଧାର୍ଯ୍ୟ କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ସହ କାରବାର କରୁଥିବା ଶିପିଂ କମ୍ପାନୀର କର୍ମଚାରୀଙ୍କ
ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେବାକୁ ଟଙ୍କା ଦାବି କରୁଥିଲେ ରାଜେନ୍ଦ୍ର। ଏମିନେନ୍ସ ଶିପିଂ ନାମକ କମ୍ପାନୀର କର୍ମଚାରୀ ଆଲୋକ ରାଉତଙ୍କୁ ଏହି ରିପୋର୍ଟ ପାଇଁ ରାଜେନ୍ଦ୍ର ୭୦ ହଜାର ଟଙ୍କା ମାଗିଥିଲେ। ଏନେଇ ଆଲୋକ ସିବିଆଇ ନିକଟରେ ଅଭିଯୋଗ କରିଥିଲେ।
Share