Categories: Uncategorized

ଜେଲରୁ ଆସି ବାପାଙ୍କୁ କାନ୍ଧଦେଲେ

ସମ୍ବଲପୁର,୭।୫(ବ୍ୟୁରୋ): ବାପାଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ବିଚାର ବିଭାଗ ହେପାଜତରେ ଥିବା ଅଭିଯୁକ୍ତ ଶିଶିର ବହିଦାର କୋର୍ଟଙ୍କ ସ୍ବତନ୍ତ୍ର ଅନୁମତି ନେଇ ଶନିବାର ରାଜଘାଟରେ ବାପାଙ୍କୁ ଶେଷ ଦର୍ଶନ କରିବା ସହ କାନ୍ଧ ଦେଇଥିଲେ। ସମ୍ବଲପୁର ଜିଲା ଜଜ୍‌ ଓ ଏସ୍‌ଡିଜେଏମ୍‌ କୋର୍ଟ ଶିଶିରଙ୍କୁ ସ୍ବତନ୍ତ୍ର ଅନୁମତି ପ୍ରଦାନ କରିବା ପରେ ଶିଶିର ଜେଲରୁ ମୁକୁଳି ରାଜଘାଟରେ ବାପାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ। ସମ୍ବଲପୁର ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଶିଶିର ବିଚାର ବିଭାଗୀୟ ନିର୍ଦ୍ଦେଶ କ୍ରମେ ପୋଲିସର କଡା ସୁରକ୍ଷା ବଳୟରେ ରାଜଘାଟ ଯାଇଥିଲେ। ସେଠାରେ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟସାରି ପୁଣି ପୋଲିସ ହେପାଜତରେ ଜେଲକୁ ଯାଇଥିଲେ। ଏଥିରେ ବଡପୁଅ ସୁଧୀର ବହିଦାର, ସମୀର ବହିଦାରଙ୍କ ସମେତ ପରିଜନ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ମୁଦିପଡା ନିବାସୀ ରେସ୍‌ଲର ବିଶ୍ୱମ୍ବର ବହିଦାରଙ୍କ ଶୁକ୍ରବାର ମୃତ୍ୟୁ ଘଟିଥିଲା। ଶନିବାର ରାଜଘାଟରେ ତାଙ୍କର ମୃତଦେହ ସତ୍କାର କରାଯାଉଥିଲା। ହେଲେ ସାନ ପୁଅ ଶିଶିର ଜେଲରେ ରହିଥିଲେ। ଏପ୍ରିଲ ୧୪ ତାରିଖ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପୋଡ଼ାଜଳା ଘଟଣାରେ ପୋଲିସ ଅଭିଯୁକ୍ତ ଦର୍ଶାଇ ତାଙ୍କୁ ଗିରଫ କରିଥିଲା। ଏପ୍ରିଲ ୧୬ରେ ସେ ଗିରଫ ହୋଇଥିବା ବେଳେ ୧୭ରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ସେହିଦିନଠାରୁ ସେ ବିଚାର ବିଭାଗୀୟ ହେପାଜତରେ ରହିଥିଲେ। ତାଙ୍କ ନାମରେ ଜିଲା ଜଜ୍‌ କୋର୍ଟରେ ଏପର୍ଯ୍ୟନ୍ତ ୩ ଗୋଟି ମାମଲା ଥିବାବେଳେ ଏସ୍‌ଡିଜେଏମ୍‌ କୋର୍ଟରେ ଗୋଟିଏ ମାମଲା ବିଚାରାଧୀନ ରହିଛି। ବାପାଙ୍କ ଶେଷ ଦର୍ଶନ କରିବା ପାଇଁ ଉଭୟ କୋର୍ଟରେ ଅଭିଯୁକ୍ତଙ୍କ ଓକିଲ ଆବେଦନ କରିଥିଲେ। କୋର୍ଟରୁ ସ୍ବତନ୍ତ୍ର ଅନୁମତି ମିଳିବା ପରେ ସମ୍ବଲପୁର ମଣ୍ଡଳ କାରାଗାରରୁ କଡା ସୁରକ୍ଷାରେ ତାଙ୍କୁ ରାଜଘାଟ ନିଆଯାଇଥିଲା। ବିଶ୍ୱମ୍ବରଙ୍କ ଶେଷକୃତ୍ୟରେ ବିଭିନ୍ନ ରାଜନୈତିକ ଦଳର କର୍ମମର୍ତ୍ତା, କ୍ରୀଡା ସଂଗଠକ, କ୍ରୀଡ଼ାବିତ୍‌, ସାମାଜିକ କର୍ମୀ ଯୋଗଦେଇଥିଲେ।