ଝାରସୁଗୁଡ଼ାରେ ନୂଆଁଖାଇ ପାଳନ କଟକଣା କୋହଳ: ଜାଣନ୍ତୁ କ’ଣ ରହିଛି ନିର୍ଦ୍ଦେଶାବଳୀ

ଝାରସୁଗୁଡ଼ା ଅଫିସ,୧୪ା୮: ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ କରାଯିବ। ତେବେ ଏଥର ନୂଆଁଖାଇ ରବିବାର ପଡୁଥିବାରୁ ଏହିଦିନ ଶଟ୍‌ଡାଉନ୍‌ ନ କରିବା ପାଇଁ ଝାରସୁଗୁଡ଼ା ଜିଲା ପ୍ରଶାସନକୁ ବିଭିନ୍ନ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଥିଲା। ସେହିପରି ଜିଲାବାସୀଙ୍କ ଦାବିକୁ ଗୁରୁତ୍ୱ ଦେଇଛି ପ୍ରଶାସନ। ନୂଆଁଖାଇ ପାଳନ ତଥା କିଣାକିଣି ପାଇଁ କଟକଣା କୋହଳ କରିଛି। ଏନେଇ ଜିଲାପାଳ ସରୋଜ କୁମାର ସାମଲ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ଆସନ୍ତା ୨୩ ତାରିଖ ନୂଆଁଖାଇ ଦିନ ସକାଳ ୭ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ସେହିପରି ଏହାର ପୂର୍ବଦିନ ଅର୍ଥାତ ୨୨ ତାରିଖ ଶନିବାର ଗଣେଶ ପୂଜା ରହିଛି। ଏହି ଦିନ ମଧ୍ୟ ନୂଆଁଖାଇ ପାଇଁ କିଣାକିଣି ସକାଳ ୭ରୁ ଅପରାହ୍ନ ୫ଟା ଯାଏ ଦୋକାନ ବଜାର ଖୋଲା ରହିବ। ଶନିବାର ସ୍ବାଧୀନତା ଦିବସ ପାଳନ ପାଇଁ ସକାଳ ୭ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ସେହିପରି ସାପ୍ତାହିକ ଶଟ୍‌ଡାଉନକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ କୌଣସି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନ କରି ଲୋକେ ନିଜ ନିଜ ଘରେ ରହି ନୂଆଁଖାଇ ପାଳନ କରିବେ ଏବଂ ସର୍ବସାଧାରଣରେ ଗଣେଶ ପୂଜା ନ କରିବା ନିର୍ଦ୍ଦେଶ ବଳବତ୍ତର ରହିଛି।