ରୋଗର ଯନ୍ତ୍ରଣା ସହି ନ ପାରି ଜୀବନ ହାରିଦେଲେ, ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି, ପୁଅ ସ୍ତବ୍ଧ

ନିରାକାରପୁର,୨୩ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ରୋଗର ଯନ୍ତ୍ରଣା ସହି ନ ପାରି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ତେବେ ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ କଁପୁରପଞ୍ଚାୟତ ମଳିପ ସାହିର ବଳଭଦ୍ର ପାତାଳ ସିଂ ଓରଫ ବଳିଆ (୩୯)। ଏନେଇ ମୃତ ବଳିଆଙ୍କ ସମ୍ପର୍କୀୟ ଦାଦା ବୈକୁଣ୍ଠ ପାତାଳସିଂ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ, ପୁତୁରା ବଳିଆଙ୍କର ଡାହାଣ ଗୋଡ଼ରେ ଏକ ଅଜଣା ଘା’ ହୋଇଥିଲା। ଯେତେ ଆଡୁ ଔଷଧ ଖାଇଲେ ମଧ୍ୟ ତାହା ଭଲ ହୋଇ ନ ଥିଲା। ସେ ଜଣେ ଦିନ ମଜୁରିଆ ହୋଇଥିବାରୁ ବହୁ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ‘ଘା’ ଟି ଶୁଖି ନ ଥିଲା କିମ୍ବା କୌଣସି ଉପଶମ ମିଳି ନଥିଲା। ବେଳକୁବେଳେ ଏହାଦ୍ୱାରା କଷ୍ଟ ହେବାରୁ ସେ ଆଉ ସହି ନ ପାରି କୀଟନାଶକ ପିଇଦେଇଥିଲେ। ପରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ପରିବାର ପକ୍ଷରୁ ତାଙ୍କୁ ଶନିବାର ଖୋର୍ଦ୍ଧା ସରକାରୀ ମେଡିକାଲକୁ ନିଆଯାଇଥିଲ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିବା ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ ଦାଦା ଜଣାଇଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି ଜଙ୍କିଆଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇ ତଦନ୍ତ ଚାଲିଥିବା ଜଙ୍କିଆ ଥାନାଧିକାରିଣୀ ପ୍ରଜ୍ଞା ଋ଼ତୁମ୍ଭରା କର ସୂଚନା ଦେଇଛନ୍ତି। ଗାଁକୁ ମୃତଦେହ ଆସିବା ପରେ ଏକ ଶୋକାକୁଳ ପରିବେଶରେ ସ୍ଥାନୀୟ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ଅକାଳରେ ସାନ ପୁଅର ଏଭଳି ଅବସ୍ଥା ଦେଖି ମା’ ପାଗଳ ପ୍ରାୟ ହୋଇଯାଇଥିବା ବେଳେ ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି। ସବୁଠାରୁ ଦୁଃଖର ବିଷୟ ଏକମାତ୍ର ୮ ବର୍ଷର ଶିଶୁ ପୁତ୍ର ବାପାଙ୍କୁ ସବୁଦିନ ପାଇଁ ହରାଇ ଏକପ୍ରକାର ସ୍ତବ୍ଧ ପାଲଟି ଯାଇଥିବା କରୁଣ ଦୃଶ୍ୟ ଦେଖିବାକୁ ମିଳିଛି।