ଅଫିସ୍‌ରେ ପଶି ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ଼

ପଟ୍ଟାମୁଣ୍ଡାଇ,୩।୪(ସ୍ବ.ପ୍ର.): ଚାଷ ଜମି ପାଖରେ ବେଆଇନ ଇଟାଭାଟି ନିର୍ମାଣକୁ ବିରୋଧ କରି ଚାଷୀମାନେ ତହସିଲଦାରଙ୍କୁ ବାରମ୍ବାର ଜଣାଇଥିଲେ ।
ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ଶନିବାର ଚାଷୀମାନେ ତହସିଲ ଅଫିସରେ ପଶି ତହସିଲଦାରଙ୍କୁ ମାଡ଼ ମାରିବା ସହିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ା ଏହାକୁ ନେଇ ସ୍ଥାନୀୟ ତହସିଲ ଅଫିସରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ମୋହନପୁର ପଞ୍ଚାୟତ କଣିପାଳ ଗ୍ରାମର ଏକାଧିକ ଚାଷୀ ନିଜ ଜମିରେ ଫସଲ କରିଛନ୍ତି। ସେହି ଜମି ପାଖରେ ଜଣେ ବ୍ୟକ୍ତି ବେଆଇନ ଭାବେ ଇଟା ଭାଟି ତିଆରି କରିଛନ୍ତି। ଏ ସଂକ୍ରାନ୍ତlରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ନିକଟରେ ଚାଷୀମାନେ ଅଭିଯୋଗ କରିଥିଲେ।
ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏହାର ପ୍ରତିବାଦରେ ଗତ ୩ ଦିନ ତଳେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଧାରଣାରେ ବସିଥିଲେ। ତହସିଲଦାର ଦିଲ୍ଲୀପ ସେଠୀଙ୍କ ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ ା ହେଲେ ଶୁକ୍ରବାର ରାତିରେ ସମ୍ପୃକ୍ତ ବ୍ୟକ୍ତି ନିଜ ଇଟାଭାଟିରେ ନିଆଁ ଦେବାରୁ ଶନିବାର ଉତ୍ତ୍ୟକ୍ତ ଚାଷୀମାନେ ତହସିଲ ଅଫିସକୁ ଆସି ଏ ସଂକ୍ରାନ୍ତରେ ତହସିଲଦାରଙ୍କୁ ଜଣାଇବା ସହିତ ସମ୍ପୃକ୍ତ ଇଟାଭାଟି ମାଲିକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ତହସିଲଦାର ସେଠୀଙ୍କ ସହିତ ଚାଷୀମାନଙ୍କ ବଚସା ହେବା ସହିତ ଧସ୍ତାଧସ୍ତି ହୋଇଥିଲା। କଣିପାଳ ଗାଁର ଦୋଳଗୋବିନ୍ଦ ସାହୁ ଓ ଉଦୟଭାନୁ ସାହୁ ମିଳିତ ଭାବେ ତହସିଲଦାରଙ୍କୁ ମାଡ଼ ମାରିବା ସହିତ ଆକ୍ରମଣ କରିଥିଲେ ବୋଲି ତହସିଲଦାର ସେଠୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ୨ ଅଭିଯୁକ୍ତଙ୍କୁ ଧରି ନେଇ ଥାନାରେ ଅଟକ ରଖିଛି। ଉକ୍ତ ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।