ମୋହାଲି,୪।୩: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ୟାରିୟର ୧୦୦ତମ ଟେଷ୍ଟରେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ସ୍ଥାନୀୟ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ୪୫ ରନ୍ କରି ଆଉଟ୍ ହୋଇଛନ୍ତି କୋହଲି। ଆରମ୍ଭରୁ ଡିଫେନ୍ସିଭ୍ ଟେକନିକ୍ ଆପଣେଇଥିବା ୩୩ ବର୍ଷୀୟ ବ୍ୟାଟର ସ୍ପିନର ଲାସିଥ ଏମ୍ବୁଲଡେନିୟାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ତାଙ୍କ ଇନିଂସରେ ୫ ଚୌକା ସାମିଲ ଥିଲା। ଆଉଟ୍ ହେବା ପୂର୍ବରୁ ହନୁମା ବିହାରୀ(୫୮ ରନ୍, ୫ ଚୌକା)ଙ୍କ ସହ ମିଶି ତୃତୀୟ ଉଇକେଟ ପାଇଁ ୯୦ ରନ୍ ଯୋଡ଼ିଥିଲେ। ମାତ୍ର ଦୁହେଁ କ୍ରମାଗତ ବ୍ୟବଧାନରେ ଆଉଟ୍ ହୋଇ ପ୍ୟାଭିଲିଅନ ଫେରିଛନ୍ତି। ଏବେ ରିଷଭ ପନ୍ତ (୧୨) ଓ ଶ୍ରେୟାସ ଆୟାର (୧୪) କ୍ରିଜରେ ଅଛନ୍ତି। ଚା’ ପାନ ବିରତି ସୁଦ୍ଧା ଭାରତ ୪ ଉଇକେଟ ହରାଇ ୧୯୯ ରନ୍ କରିଛି।