ନିରାକାରପୁର,୧୮ା୨(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଷ୍ଟେଶନରେ ଟ୍ରେନ୍କୁ ଚଢୁଥିବା ସମୟରେ ଜଣେ ଫେରିବାଲା ଖସିପଡ଼ି ଗୁରୁତର ହୋଇଛନ୍ତି। ତାଙ୍କର ଗୋଟିଏ ଗୋଡ଼ କଟିଯାଇଛି। ସେ ହେଲେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ପଞ୍ଚାୟତ ମଠପାଟଣାର ଦିବାକର ସାହୁ। ସେ ପ୍ରତିଦିନ ନିରାକାରପୁର ଷ୍ଟେଶନରୁ ବିଭିନ୍ନ ଟ୍ରେନ୍ରେ ଚଢ଼ି ଫେରି ବେପାର କରି ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ଆଜି ଭୁବନେଶ୍ୱରରୁ ବିଶାଖାପାଟଣା ଯାଉଥିବା ଇଣ୍ଟରସିଟିରେ ଚଢୁଥିବା ବେଳେ ସେ ଖସିପଡ଼ିଥିଲେ। ତାଙ୍କୁ ତୁରନ୍ତ ଷ୍ଟେଶନ କର୍ମଚାରୀ ଏବଂ ରେଳବାଇ ପୋଲିସଙ୍କ ସହାୟତାରେ ଖୋର୍ଦ୍ଧା ହସ୍ପିଟାଲକୁ ନିଆଯାଇଛି। ସେ ଜଣେ ଅତ୍ୟନ୍ତ ଗରିବ ଲୋକ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।