
ମୁମ୍ବାଇ,୨୧।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଆଇନଗତ ଭାବରେ ଅଲଗା ହୋଇଯାଇଛନ୍ତି। ବାନ୍ଦ୍ରା ଫ୍ୟାମିଲି କୋର୍ଟ ଉଭୟଙ୍କ ଛାଡପତ୍ର ଆବେଦନକୁ ମଞ୍ଜୁର କରିଛନ୍ତି। ଚହଲଙ୍କ ଓକିଲ ନୀତିନ କୁମାର ଗୁପ୍ତା କହିଛନ୍ତି, କୋର୍ଟ ଉଭୟ ପକ୍ଷଙ୍କ ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି। ଏବେ ଆନୁଷ୍ଠାନିକ ଭାବରେ ଚହଲ ଏବଂ ଧନଶ୍ରୀ ସ୍ବାମୀ-ସ୍ତ୍ରୀ ନୁହଁନ୍ତି। ହାଇକୋର୍ଟ କହିଛନ୍ତି ଯେ, ୪.୭୫ କୋଟି ଟଙ୍କାର ସମାଧାନ ପାଇଁ ଆଲୋଚନା ହୋଇସାରିଛି।
ଚହଲ ଏବଂ ଧନଶ୍ରୀ ୨୨ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ। କିନ୍ତୁ କିଛିଦିନ ପରେ ସେମାନଙ୍କ ଭିତରେ ମତଭେଦର ଖବର ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁସାରେ, ଉଭୟ ପାରସ୍ପରିକ ସମ୍ମତିରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ଚାଲିଥିବା କୋର୍ଟ ଶୁଣାଣିରେ ଚହଲଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଭରଣପୋଷଣ ଭାବରେ ୪.୭୫ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଚହଲ ପୂର୍ବରୁ ୨.୩୭ କୋଟି ଟଙ୍କା ଦେଇସାରିଥିଲେ ଏବଂ ବର୍ତ୍ତମାନ ବାକି ରାଶି ପରିଶୋଧ କରିବାକୁ ବାକି ଅଛି।
ଚହଲଙ୍କ ମୋଟ ସମ୍ପତ୍ତି (ନିଟ ମୂଲ୍ୟ) ପ୍ରାୟ ୪୫ କୋଟି ଟଙ୍କା ବୋଲି କୁହାଯାଉଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଠାରୁ ପ୍ରାପ୍ତ ବାର୍ଷିକ ୧ କୋଟି ଟଙ୍କାର ଚୁକ୍ତି, ଇଣ୍ଡିଆନ ପ୍ରିମିୟର ଲିଗ (IPL) ରୁ ଆୟ ଏବଂ ବ୍ରାଣ୍ଡ ଅନୁମୋଦନ ମାଧ୍ୟମରେ ସେ ଏହି ରୋଜଗାର କରିଛନ୍ତି। ୨୦୨୫ ଆଇପିଏଲ ମେଗା ନିଲାମରେ ପଞ୍ଜାବ କିଙ୍ଗସ ଚହଲଙ୍କୁ ୧୮ କୋଟି ଟଙ୍କାରେ କିଣିଥିଲା। ଏପର୍ଯ୍ୟନ୍ତ ଚହଲ ଆଇପିଏଲ ମାଧ୍ୟମରେ ପ୍ରାୟ ୩୭ କୋଟି ଟଙ୍କା ରୋଜଗାର କରିସାରିଛନ୍ତି।
କ୍ରିକେଟ ବ୍ୟତୀତ ୟୁଜବେନ୍ଦ୍ର ଚହଲ ବିଜ୍ଞାପନରୁ ମଧ୍ୟ ବହୁତ ଟଙ୍କା ରୋଜଗାର କରନ୍ତି। ସେ VIVO, Nike, Acuvue, Boom 11 ଏବଂ Fanta ଭଳି ପ୍ରମୁଖ ବ୍ରାଣ୍ଡର ପ୍ରଯୋଜକ। ଚହଲଙ୍କ ହରିୟାଣାର ଗୁରୁଗ୍ରାମରେ ଏକ ବିଳାସପୂର୍ଣ୍ଣ ଘର ଅଛି। ଏହା ବ୍ୟତୀତ, ତାଙ୍କ ପାଖରେ ମହଙ୍ଗା କାରର ଏକ ବଡ଼ କଲେକ୍ସନ ମଧ୍ୟ ଅଛି, ଯେଉଁଥିରେ ପୋର୍ସେ କାୟେନ ଏସ ଏବଂ ମର୍ସିଡିଜ-ବେଞ୍ଜ ସି-କ୍ଲାସ ଭଳି ଲଗଜରୀ କାର ସାମିଲ ଅଛି।