Categories: ଫୁରସତ

ଘୋଡ଼ାରେ ଯାଆନ୍ତି ସ୍କୁଲ

ଗାନ୍ଧୀନଗର: ସାଧାରଣତଃ ପିଲାମାନେ ଚାଲିକରି, ସାଇକେଲରେ କିମ୍ବା ସ୍କୁଲ ଭ୍ୟାନରେ ସ୍କୁଲ ଯାଇଥାନ୍ତି। ହେଲେ ଜଣେ ପ୍ରାଥମିକ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ପ୍ରତିଦିନ ଘୋଡ଼ାରେ ବସି ସ୍କୁଲ ଯାଉଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଗୁଜରାଟ ସୁରଟ ଜିଲାର ବାରଡୋଲି ତାଲୁକର ଏକ ଛୋଟ ଗଁା ଖରବାସାରେ। ୧୩ ବର୍ଷୀୟ କୁଶ ମହେଶଭାଇ ରାଥୋଡଙ୍କ ପରିବାର କ୍ଷେତରେ ଚାଷ କରି ପେଟ ପୋଷନ୍ତି। ତେବେ ସେହି ଘୋଡ଼ାର ବୟସ ମାତ୍ର ୫ ବର୍ଷ। ସେହି ଘୋଡ଼ାରେ ବସି କୁଶ ସବୁଦିନ ବିଦ୍ୟାଳୟକୁ ପାଠ ପଢିବାକୁ ଯାଆନ୍ତି। ଶ୍ରେଣୀଗୃହକୁ ଯିବା ପୂର୍ବରୁ କୁଶ ଘୋଡ଼ାକୁ ବାହାରେ ଏକ ସ୍ଥାନରେ ବାନ୍ଧି ଦିଅନ୍ତି। ଖାଇବାକୁ ସେଠାରେ ଚାରା ମଧ୍ୟ ଯୋଗାଇ ଦିଅନ୍ତି। କାର୍‌ ଏବଂ ଅନ୍ୟ ଯାନବାହନରେ ଆସୁଥିବା ଶିକ୍ଷୟିତ୍ରୀ ଶିକ୍ଷକ ମଧ୍ୟ କୁଶଙ୍କ ଘୋଡ଼ା ପ୍ରତି ଏପରି ଭଲ ପାଇବା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। କୁଶଙ୍କୁ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା ସେତେବେଳକୁ ସେ ଘୋଡ଼ାରେ ହିଁ ସ୍କୁଲକୁ ଆସନ୍ତି। ଅନ୍ୟ ଛାତ୍ରୀଛାତ୍ର ମଧ୍ୟ ଉକ୍ତ ଘୋଡ଼ାକୁ ଦେଖିବାକୁ ଏବଂ ଖେଳିବା ଲାଗି ସେଠାରେ ପହଞ୍ଚି ଯାଆନ୍ତି। ଛାତ୍ରଙ୍କ ପରିବାରର କହିବା ମୁତାବକ, କୁଶ ଦିନେ କ୍ଷେତରେ କାମ କରୁଥିଲେ। ସେତେବେଳେ ତାଙ୍କୁ ଏକ ଘୋଡ଼ା ଛୁଆ ମିଳିଲା। ସେ ଘୋଡ଼ାକୁ ପାଳି ପୋଷି ବଡ଼ କରିଛନ୍ତି। ପରେ ଘୋଡ଼ା ସହ ତାଙ୍କର ଆନ୍ତରିକତା ବଢିଗଲା। ସେବେଠାରୁ କୁଶ ଯୁଆଡ଼େ ଯାଉଛନ୍ତି, ଘୋଡ଼ା ତାଙ୍କ ସହିତ ଯାଉଛି।

Share