କ୍ଷତିପୂରଣ ସତ୍ୟପାଠ ଦାଖଲ ପାଇଁ ସମୟ ନେଲେ ସରକାର

କଟକ,୧୦।୧ (କାର୍ତ୍ତିକ ସାହୁ): ଡଙ୍ଗାବୁଡି ମାମଲାରେ ରାଜ୍ୟ ସରକାର ମୃତାହତଙ୍କ ନିମନ୍ତେ କ୍ଷତିପୂରଣ ରାଶି ବାବଦରେ ସତ୍ୟପାଠ ଦାଖଲ ଲାଗି ସମୟ ଦେବାକୁ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ଉକ୍ତ ଟଙ୍କା ସମ୍ପର୍କରେ ବିଚାର ଚାଲିଥିବା ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ଆବେଦନକୁ ଗ୍ରହଣ କରିଛନ୍ତି। ଏଥିସହ ସରକାରଙ୍କ ପ୍ରସ୍ତାବିତ ନୂତନ ଡଙ୍ଗାଚାଳନା ନିୟମ-୨୦୨୩କୁ ପଢ଼ି ଅଭିଯୋଗ ଓ ପ୍ରସ୍ତାବ ଜଣାଇବାକୁ ଆବେଦନକାରୀ ଏବଂ ଆମିକସ୍‌ କ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଉଲ୍ଲେଖଯୋଗ୍ୟ, କୋରାପୁଟ ଜିଲା କୋଲାବ ନଦୀର ଶାଖା ପାତାଳି ନଦୀରେ ୨୦୧୪ ମେ’ ୨୪ରେ ଡଙ୍ଗାବୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଇନଜୀବୀ ପ୍ରବୀର ଦାସ ଏନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରି ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ନିରାପତ୍ତା ନିମନ୍ତେ ଡଙ୍ଗାର ପଞ୍ଜୀକରଣ, ଜୀବନ ରକ୍ଷାକାରୀ ସରଞ୍ଜାମ ମହଜୁଦ ବ୍ୟବସ୍ଥା ଗ୍ରହଣ ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ଆବେଦନରେ ଦର୍ଶାଇଥିଲେ। ସେହିପରି ୨୦୧୪ ଫେବୃଆରୀରେ ହୀରାକୁଦରେ ଡଙ୍ଗାବୁଡ଼ି ୩୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ହାଇକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରି ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରିଥିଲେ। ରାଜ୍ୟର ଅନ୍ୟ ଏକ ସ୍ଥାନରେ ୨୦୧୩ରେ ଘଟିଥିବା ଡଙ୍ଗାବୁଡ଼ି ନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା। ୩ଟିଯାକ ମାମଲାର ଶୁଣାଣି ପୃଥକ୍‌ ହେଉଥିଲା। ହେଲେ ଏସବୁ ମାମଲାଗୁଡ଼ିକର ଏକତ୍ର ଶୁଣାଣି ପାଇଁ ଫେବୃଆରୀ ୧୩ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।