ପୁରୀ ଅଫିସ,୯।୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାର ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ବ୍ୟକ୍ତିଜଣକ ଉତ୍ତ୍ୟକ୍ତ ହୋଇ ଏକ ଲୁହାରଡ୍ ଧରି ସୁରକ୍ଷା କର୍ମୀଙ୍କ ସମେତ ସ୍ଥାନୀୟ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ତେବେ ସମ୍ପୃୃକ୍ତ ବ୍ୟକ୍ତି ଡାକ୍ତର କି ନୁହେଁ ସେନେଇ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସ୍ପଷ୍ଟ ହୋଇ ନ ଥିବାବେଳେ ସେ ଜଣେ ଡାକ୍ତର ବୋଲି ସାମାଜିକ କର୍ମୀ ବିଶ୍ୱଜିତ ମହାନ୍ତି କହିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ପୁରୀ ସହରର ଅନେକ ବ୍ୟକ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକ ଦେଇ ଯାନବାହନ ଯିବାକୁ ଅନୁମତି ନାହିଁ। ଏହାସତ୍ତ୍ୱେ ସମ୍ପୃକ୍ତ ବ୍ୟକ୍ତି ନିଜ ସ୍କୁଟରକୁ ନେଇ ଚିକିତ୍ସାଳୟ ଭିତରେ ରଖିଥିଲେ। କାର୍ଯ୍ୟରତ ସୁରକ୍ଷାକର୍ମୀ ଗାଡ଼ିକୁ ବାହାରକୁ ନେଇଯିବା ପାଇଁ ଅନୁରୋଧ କରିବାରୁ ବ୍ୟକ୍ତିଜଣକ ଉତ୍ତ୍ୟକ୍ତ ହୋଇ ଏକ ଲୁହାରଡ୍ ଧରି ସୁରକ୍ଷା କର୍ମୀଙ୍କ ସମେତ ସ୍ଥାନୀୟ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏପରି କି ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ସ୍ଥାନୀୟ କର୍ମଚାରୀଙ୍କ ସହଯୋଗରେ ସେ ନିୟନ୍ତ୍ରଣକୁ ଆସିଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ବ୍ୟକ୍ତି ଡାକ୍ତର ହୋଇଥିଲେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସିଡିଏମ୍ଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।