ଦାରିଙ୍ଗବାଡ, ୫।୩(ଡି.ଏନ୍.ଏ): ସବୁ ଘରେ ରାତି ପାହିଲେ ଖୋଜା ପଡେ ଝାଡୁ। ପ୍ଲାଷ୍ଟିକ ଯୁଗରେ ଏବେ ବି ଫୁଲଝାଡୁର ଚାହିଦା ରହିଛି। ସେହିପରି ରାଜ୍ୟରେ ବିଭିନ୍ନ ଜିଲାରେ ବିଭିନ୍ନ ପ୍ରକାର ଝାଡୁ ତଥା ତାଳପତ୍ର ସମେତ ଖଜୁରି ଝାଡୁ, ନଡ଼ିଆ ଗଛରୁ ବି ଝାଡୁ ପ୍ରସ୍ତୁତ ହୁଏ। ଘର ସଫେଇ ପାଇଁ ଫୁଲଝାଡୁର ଚାହିଦା ଅଧିକା ରହିଛି। ପୂର୍ବରୁ କନ୍ଧମାଳ ଜିଲାରେ ଥିବା ଜଙ୍ଗଲ ଓ ପାହାଡ଼ ଉପରେ ଆପେ ଆପେ ଫୁଲଝାଡୁ ହୋଇଥାଏ। ସେହି ସମୟରେ ଏହାର ଦର ଠିକ୍ ଥିବା ବେଳେ ଏବେ ଅଞ୍ଚଳରେ ସରକାରଙ୍କ ଏକାଧିକ ବିଭାଗ ଦ୍ୱାରା ଏହି ଚାଷ ପାଇଁ ପଦକ୍ଷେପ ନିଆଯାଇ ଏମ୍ଜିଏନ୍ଆର୍ଇଜିଏସ୍ରେ ସହାୟତା ଯୋଗାଇ ଦିଆଯାଇଛି ଏବଂ ତା’ର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ଧରି ସରକାର ସହାୟତା କରିଥିଲେ। ଏବେ ଏହି ଚାଷ ଜିଲାରେ ବହୁଳ ମାତ୍ରାରେ ହେଉଥିବା ବେଳେ ଫୁଲଝାଡୁର କୌଣସି ଦର ଧାର୍ଯ୍ୟ କରାଯାଉନି କି ଏହାର ବିକ୍ରିବଟା ବ୍ୟବସ୍ଥା କରାଯାଉନି, ଫଳରେ ଫୁଲଝାଡୁ ଚାଷୀ ନିରାଶ ହେବା ସହ କିଛି ଚାଷୀ ଏହି ଚାଷର ବୃଦ୍ଧି କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଫୁଲଝାଡୁକୁ ଦଲାଲମାନେ ଶସ୍ତାରେ ଚାଷୀଙ୍କଠାରୁ ନେଇ ବାହାର ରାଜ୍ୟକୁ ପଠାଇ ବହୁ ଦାମ୍ରେ ଏହାକୁ ପ୍ରସ୍ତୁତ କରି ବିକ୍ରିକରି ଲାଭବାନ୍ ହେଉଛନ୍ତି ବୋଲି ଚାଷୀ ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ଏହି ଫୁଲଝାଡୁ ଚାଷରେ ଛୋଟ ଛୋଟ ଚାଷ କରି ବର୍ଷକରେ ୨ ମାସ ଚାଷୀ ପରିଶ୍ରମ କରି ଅତି କମ୍ରେ ୫ରୁ ୧୦ ହଜାର ପର୍ଯ୍ୟନ୍ତ ରୋଜଗାର କରୁଥିବା ବେଳେ କେତେଜଣ ଚାଷୀ ଲକ୍ଷାଧିକ ଟଙ୍କା ରୋଜଗାର କରିବା ନଜିର ରହିଛି। ଏ ନେଇ ବାଡାବାଙ୍ଗା ପଞ୍ଚାୟତ ସିକକେତା ଗ୍ରାମର ଚାଷୀ ପ୍ରତ୍ୟୁଷ ପ୍ରଧାନ କୁହନ୍ତି ସେ ସରକାରଙ୍କ ପକ୍ଷରୁ ୩ ଏକର ଜମିରେ ଏହି ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ ହେଲେ ଏହାର ଅଭାବୀ ବିକ୍ରି ଓ ଦର ଧାର୍ଯ୍ୟ ନ ଥିବାରୁ ସେ କ୍ଷତି ସହୁଛନ୍ତି। ତେଣୁ ସରକାର ଏହାର ଦର ଧାର୍ଯ୍ୟ କରିବା ସହ ମଣ୍ଡି ଖୋଲିବାକୁ ସେ ନିବେଦନ କରିଛନ୍ତି।