Categories: ଖେଳ

ପନ୍ତଙ୍କୁ ମୋଟା କହିଲେ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୨୨।୭: ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚରେ ଶତକ ହାସଲ ପରେ ଭାରତୀୟ ଉଇକେଟ୍‌ କିପର୍‌ ରିଷଭ ପନ୍ତ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି। ଟେଷ୍ଟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିବା ପରେ ପନ୍ତ ମଧ୍ୟ ଦିନିକିଆରେ ଭାରତ ପାଇଁ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ବିଶେଷ କଥା ହେଉଛି, ତାଙ୍କ ଶତକ ବିଦେଶ ମାଟିରେ ପ୍ରତିକୂଳ ପରିସ୍ଥିତିରେ ଆସିଥିଲା। ପନ୍ତଙ୍କର ଶତକ ପରେ ଅନେକ କ୍ରିକେଟ କିମ୍ବଦନ୍ତୀ ତାଙ୍କୁ ପ୍ରଶଂସା କରୁଛନ୍ତି। କିନ୍ତୁ ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର ଶୋଏବ ଅଖତର ପନ୍ତଙ୍କ ଫିଟନେସ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଶୋଏବ କହିଛନ୍ତି, ପନ୍ତ ଟିକେ ମୋଟା, କିନ୍ତୁ ଟିକେ ଫିଟନେସ ଉପରେ ଧ୍ୟାନ ଦେଲେ ସେ ଜଣେ ମଡେଲ ହୋଇ ବିଜ୍ଞାପନ ମାଧ୍ୟମରେ କୋଟି ଟଙ୍କା ରୋଜଗାର କରିପାରିବେ। ସେ ନିର୍ଭୟରେ ଖେଳିବା ସହ କଟ ସଟ, ପୁଲ ସଟ, ରିଭର୍ସ ସୁଇପ ମାରିପାରନ୍ତି। ସେ ପୂର୍ବରୁ ଅଷ୍ଟ୍ରେଲିଆ ଏବଂ ଏବେ ଇଂଲଣ୍ଡରେ ଭାରତକୁ ମ୍ୟାଚ୍‌ ଜିତାଇଛନ୍ତି। ପନ୍ତ ଜଣେ ଆଗାମୀ ସୁପରଷ୍ଟାର। ଯଦି ସେ ଓଜନ ଆଉ ଟିକେ କମାଇ ଦେବେ ତେବେ ଭବିଷ୍ୟତରେ ସେ ଆହୁରି ଭଲ ଖେଳିପାରିବେ।
ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ରିଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି। ତେବେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ପନ୍ତ ଭାରତୀୟ ଦଳର ଅଂଶ ହେବେ।

Share