ପାର୍ଟନରଙ୍କୁ ଛାଡ଼ିଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ୍‌,୨୧ା୧୦: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ତାଙ୍କ ଟିଭି ଜର୍ନାଲିଷ୍ଟ ପାର୍ଟନର ଆଣ୍ଡ୍ରେଆ ଜିଆମବ୍ରୁନୋଙ୍କୁ ଛାଡ଼ିଦେଇଥିବା ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ନିକଟରେ ଆଣ୍ଡ୍ରେଆ ଲିଙ୍ଗଗତ ମନ୍ତବ୍ୟ ପାଇଁ ସମାଲୋଚିତ ହୋଇଥିଲେ। ଗତମାସରେ ମେଲୋନି ଖବରଦାତାମାନଙ୍କୁ କହିଥିଲେ, ତାଙ୍କୁ ଆଣ୍ଡ୍ରେଆଙ୍କ ମନ୍ତବ୍ୟକୁ ନେଇ ବିଚାର କରା ନ ଯାଉ। ଆଣ୍ଡ୍ରେଆଙ୍କ ଆଚରଣ ସମ୍ପର୍କରେ ସେ କୌଣସି ପ୍ରଶ୍ନର ଉତ୍ତର ଦେବେ ନାହିଁ।
ବର୍ଷୀୟା ପ୍ରଧାନମନ୍ତ୍ରୀ ମେଲୋନି ଦକ୍ଷିଣପନ୍ଥୀ ମେଣ୍ଟ ସରକାର ମୁଖ୍ୟ ଭାବେ ପ୍ରଥମ ବର୍ଷ ପୂରଣ କରିଥିବାବେଳେ ଏହି ବିଚ୍ଛେଦ ଖବର ସାମ୍ନାକୁ ଆସିଛି। ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ମେଲୋନି ଲେଖିଛନ୍ତି, ଆଣ୍ଡ୍ରେଆଙ୍କ ସହ ତାଙ୍କ ସମ୍ପର୍କ ୧୦ ବର୍ଷ ତିଷ୍ଠି ରହିଥିଲା। ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତେବେ ନିଜ ବ୍ୟକ୍ତିଗତ ଜୀବନର କଠିନତାକୁ ନେଇ ସେ ପ୍ରଭାବିତ ହେବେ ନାହିଁ। ଘରେ ତାଙ୍କୁ ଯେଉଁମାନେ ଦୁର୍ବଳ କରିବାକୁ ଉଦ୍ୟମ ଚଳାଇଥିଲେ, ସେମାନେ କେବେହେଲେ ସଫଳ ହେବେ ନାହିଁ। ୨୦୧୪ରେ ଏକ ଟିଭି ଷ୍ଟୁଡିଓରେ ପରସ୍ପରକୁ ଭେଟିଥିବା ଏହି ଯୋଡ଼ିଙ୍କ ଜଣେ ୭ ବର୍ଷୀୟା ଝିଅ ଅଛନ୍ତି। ୪୨ ବର୍ଷୀୟ ଆଣ୍ଡ୍ରେଆ ‘ମିଡିଆ ଇଷ୍ଟ୍‌’ ଦ୍ୱାରା ପ୍ରସାରିତ ଏକ ନ୍ୟୁଜ୍‌ କାର୍ଯ୍ୟକ୍ରମରେ ଉପସ୍ଥାପକ ଅଛନ୍ତି। ‘ମିଡିଆ ଇଷ୍ଟ’ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ସିଲିଭିଓ ବେର୍ଲୁସ୍କୋନିଙ୍କ ଉତ୍ତରାଧିକାରୀମାନଙ୍କ ଦ୍ୱାରା ପରିଚାଳିତ ଏମ୍‌ଏଫ୍‌ଇ ମିଡିଆ ଗ୍ରୁପ୍‌ର ଏକ ଅଂଶ।
ସପ୍ତାହରେ ଆଣ୍ଡ୍ରେଆ ଏକ ଶୋ’ ବେଳେ ନିଜ ଗୁପ୍ତାଙ୍ଗକୁ ଧରି ତାଙ୍କ ମହିଳା ସହଯୋଗୀଙ୍କୁ କହିଥିଲେ, ତୁମେ ମୋତେ ପୂର୍ବରୁ କାହିଁକି ଭେଟି ନ ଥିଲ? ଏହାର ଭିଡିଓ ଭାଇରାଲ ହୋଇଥିଲା। ଗୁରୁବାର ପ୍ରସାରିତ ଅନ୍ୟ ଏକ ଅଡିଓ ରେକର୍ଡିଂରେ ଆଣ୍ଡ୍ରୋଆ ଆଉ ଜଣେ ମହିଳା ସହକର୍ମୀଙ୍କୁ କହୁଥିଲେ, ତାଙ୍କ ସହ କାମ କରିବାକୁ ହେଲେ ଗ୍ରୁପ୍‌ ସେକ୍ସରେ ସାମିଲ ହେବାକୁ ପଡ଼ିବ। ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

Share