ନ୍ୟୁୟର୍କ,୨୧।୯: ଆମେରିକାର ହ୍ୟୁଷ୍ଟନରେ ଜଣେ ବ୍ୟକ୍ତି ଆଠ ବର୍ଷ ପୂର୍ବେ ଚାକିରିରେ ପଦୋନ୍ନତି ନ ମିଳିବାରୁ ବସ୍ଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ ହତ୍ୟା କରିଥିଲେ। ଫାଙ୍ଗ ଲୁ ନାମକ ଏହି ବ୍ୟକ୍ତିଙ୍କୁ ସେପ୍ଟେମ୍ବର ୧୧ରେ ଗିରଫ କରାଯାଇଛି। ଫାଙ୍ଗ ଲୁ ତାଙ୍କ ମାଲିକ ମାଓ ଏବଂ ତାଙ୍କ ପରିବାରର ଅନ୍ୟ ଚାରିଜଣ ସଦସ୍ୟଙ୍କୁ ଜାନୁଆରୀ ୩୦, ୨୦୧୪ରେ ହତ୍ୟା କରିଥିଲେ। ପୋଲିସ ବର୍ତ୍ତମାନ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଚାକିରିରେ ପଦୋନ୍ନତି ନ ପାଇବାରୁ ରାଗିଯାଇ ଫାଙ୍ଗ ଲୁ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ। ହ୍ୟୁଷ୍ଟନ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୨୦, ୨୦୧୪ରେ ଶୋଇବା ଘରେ ମାଓ ସନ୍ (୫୦), ମେକ୍ସି ସନ (୪୯), ଟିମୋଥି ସନ (୯) ଏବଂ ଟିଟସ ସନ (୭) ଙ୍କ ମୃତଦେହ ମିଳିଥିଲା। ସମସ୍ତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହତ୍ୟା ପଛର କାରଣ ପୋଲିସ ବର୍ତ୍ତମାନ ପ୍ରକାଶ କରିଛି। ପୋଲିସ କହିଛି ଯେ, ଫାଙ୍ଗ ଲୁ ଗିରଫ ହେବା ପରେ ସମଗ୍ର ପରିବାରର ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି।