Categories: ଜାତୀୟ

ସ୍ତ୍ରୀକୁ ଛାଡ଼ି ପ୍ରେମିକା ସହ ରହିବା ପାଇଁ ଏମିତି ଷଡ଼ଯନ୍ତ୍ର କରିଥିଲେ ସ୍ବାମୀ

ଲକ୍ଷ୍ନୌ,୨।୯: ଉତ୍ତର ପ୍ରଦେଶର ପଶ୍ଚିମାଞ୍ଚଳ କାସଗଞ୍ଜ ଜିଲାରେ ଜଣେ ବିବାହିତ ବ୍ୟକ୍ତି ପ୍ରେମିକାଙ୍କ ସହ ରହିବା ପାଇଁ ସ୍ତ୍ରୀ ଓ ଛୁଆଙ୍କୁ ହତ୍ୟା କରି ଘରେ ପୋତି ଦେଇଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତ ଜଣଙ୍କ ପୋଲିସ ହାତରୁ ବଞ୍ଚିବା ପାଇଁ ନିଜକୁ ମଧ୍ୟ ମୃତକ ଦର୍ଶାଇବାକୁ ଜବରଦସ୍ତ ଷଡ଼ଯନ୍ତ୍ର ରଚିଥିଲେ, ଯାହା ଉପରୁ ପରଦା ହଟାଇଛି ଉତ୍ତର ପ୍ରଦେଶ ପୋଲିସ।

ପୋଲିସର କହିବା ଅନୁଯାୟୀ, ୨୦୧୮ରେ ଜଣେ ପାଥୋଲୋଜିଷ୍ଟ ଭାବେ ଗ୍ରେଟର ନୋଏଡାସ୍ଥିତ ଏକ ବେସରକାରୀ ଲାବ୍ରୋଟୋରିରେ ଚାକିରି କରୁଥିଲେ ୩୪ ବର୍ଷୀୟ ରାକେଶ। ଜଣେ ମହିଳା ପୋଲିସ କର୍ମୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ସେ ସ୍ତ୍ରୀ ଓ ଛୁଆଙ୍କୁ ହତ୍ୟା କରିଥିଲେ। ସେମାନଙ୍କ ମୃତଦେହକୁ ପୋତି ଦେଇଥିଲେ ଘରେ। ତା’ ପରେ ତାଙ୍କୁ ନ ଜଣାଇ ସ୍ତ୍ରୀ ଓ ଛୁଆମାନେ କୁଆଡ଼େ ଚାଲି ଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ସେତେବେଳେ ପୋଲିସକୁ କୌଣସି ପ୍ରକାର ସୁରାଖ ନ ମିଳିବାରୁ ମାମଲା ଚପି ଯାଇଥିଲା।

କିନ୍ତୁ କିଛି ମାସ ତଳେ ଅଭିଯୁକ୍ତଙ୍କ ବିରୋଧରେ ଅପହରଣ ଓ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ ଶ୍ୱଶୁର। ସେତେବେଳେ ମଧ୍ୟ ପୋଲିସ ହାତ ଖାଲି ରହିଥିଲା। ମାତ୍ର ପୋଲିସ ହାତରୁ ନିଜକୁ ବଞ୍ଚାଇବା ଲାଗି ରାକେଶ, ତାଙ୍କ ପ୍ରେମିକାଙ୍କ ସହ ମିଶି ଆଉ ଏକ ଷଡ଼ଯନ୍ତ୍ର ରଚିଥିଲେ। ଦୁହେଁ ସେହି ଗ୍ରାମର ଜଣଙ୍କୁ ହତ୍ୟା କରିବା ପରେ ମୃତଦେହର ମୁଣ୍ଡ ଓ ହାତକୁ କାଟି ଦେଇଥିଲେ। ଏହାପରେ ମୃତକଙ୍କୁ ନିଜ ପୋଷାକ ପିନ୍ଧାଇ ଘଟଣା ସ୍ଥଳରେ ଛାଡ଼ି ଆସିଥିଲେ ପରିଚୟ ପତ୍ର। ଏହା ଦ୍ୱାରା ମୃତଦେହକୁ ନିଜ ପରିଚୟ ଦେବାକୁ ଚାହୁଁଥିଲେ ରାକେଶ। ହେଲେ ମୁଣ୍ଡ ନ ମିଳିବାରୁ ମୃତଦେହର ଡିଏନ୍‌ଏ ଯାଞ୍ଚ କରାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଥିଲା ଉକ୍ତ ମୃତଦେହ ରାଜେଶଙ୍କର ନୁହେଁ। ଏହା ପରଠୁ ଆରମ୍ଭ ହୋଇଥିଲା ତଦନ୍ତ।

ଶେଷରେ ପୋଲିସ ପହଞ୍ଚିଥିଲା ହରିୟାଣାରେ ଦୀଲିପ ଶର୍ମାଙ୍କ ନାମରେ ରହୁଥିବା ରାକେଶଙ୍କ ନିକଟରେ। ଅଭିଯୁକ୍ତଙ୍କୁ ଏଥିରେ ସାହାଯ୍ୟ କରିଥିଲେ ତାଙ୍କ ବାପା, ଯିଏକି ଜଣେ ପୂର୍ବତନ ପୋଲିସ ଅଧିକାରୀ। ପୋଲିସ ଅଭିଯୁକ୍ତଙ୍କ ସମେତ ତାଙ୍କ ପରିବାରର ୩ ସଦସ୍ୟ ଓ ଉକ୍ତ ମହିଳାଙ୍କୁ ଗିରଫ କରିଛି।

Share