‘ଆଇନ ବିଦ୍ୟାର୍ଥୀ ସମାଜର ଆଲୋକବର୍ତ୍ତିକା’

କଟକ ଅଫିସ,୧୮।୯: ଆଇନ ପେସା ଲୋକଙ୍କ ଅଧିକାର ଓ ସ୍ବାଧୀନତା ଅକ୍ଷୁଣ୍ଣ ରଖିବା ସହ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଶିଖାଇଥାଏ। ଆଇନ ସେବା ଏକ ସମ୍ଭ୍ରାନ୍ତ ବୃତ୍ତି ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ କହିଛନ୍ତି। କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଶନିବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ବିଚାରପତି ଲଳିତ ଯୋଗଦେଇ କହିଥିଲେ, ସାମ୍ବିଧାନିକ ବିଧିବ୍ୟବସ୍ଥାର ପ୍ରତିଷ୍ଠାତାଙ୍କ ସମେତ ବହୁ ସ୍ବାଧୀନତା ସଂଗ୍ରାମୀ ଏହି ଆଇନ ପେସାରୁ ଆସିଥିଲେ। ବିଶ୍ୱବିଦ୍ୟାଳୟର ଡିଗ୍ରୀଧାରୀ ବିଦ୍ୟାର୍ଥୀମାନେ ସମାଜର ଆଲୋକବର୍ତ୍ତିକା ସଦୃଶ। ସମାଜ ସେମାନଙ୍କୁ ଦେଖି ଅନୁପ୍ରାଣିତ ହେବ। ଓକିଲାତିକୁ ପେସା କରୁଥିବା ବ୍ୟକ୍ତି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ଦରକାର ବୋଲି ଲଲିତ କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁପ୍ରିମକୋର୍ଟ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଥିଲେ, ବିଦ୍ୟାର୍ଥୀମାନେ କେବଳ ଆଇନ ଜାଣିଲେ ହେବ ନାହିଁ, ବରଂ ଆଇନ ବିଷୟରେ ଚିନ୍ତା କରିବା ଉଚିତ। ଆଇନ ଆମ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଇନ ଛାତ୍ରୀଛାତ୍ରମାନେ ପ୍ରଥମେ ଜଣେ ଭଲ ମଣିଷ ହୁଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ସୁପ୍ରିମକୋର୍ଟ ବିଚାରପତି ଏମ୍‌. ଆର୍‌. ଶାହା ଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ, ଛାତ୍ରୀଛାତ୍ରମାନେ ଜ୍ଞାନ ଆହରଣ କରି ରାଷ୍ଟ୍ର ଗଠନରେ ସାମିଲ ହୁଅନ୍ତୁ। ବିଫଳତାକୁ ସଫଳତାର ଏକ ମାଇଲଖୁଣ୍ଟ ଭାବେ ବିବେଚନା କରିବାକୁ ସେ କହିଥିଲେ। ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କୃତୀ ଛାତ୍ରୀଛାତ୍ରମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ଆଇନ ସେବା କ୍ଷେତ୍ରରେ ସଫଳ ମଣିଷ ହେବାକୁ କହିଥିଲେ। କୁଳପତି ପ୍ରଫେସର ବେଦ କୁମାରୀ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ୨୨୧ ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏଥିରେ ନିଧି ଚୌହାନ, ବିଚାରପତି ସଞ୍ଜୀବ ପାଣିଗ୍ରାହୀ, ପଲ୍ଲବ ଦାସ ଓ ରାମକୃଷ୍ଣ ଦାସ(ଅନୁପସ୍ଥିତ)ଙ୍କୁ ଡକ୍ଟରେଟ, ଏଲ୍‌ଏଲ୍‌ଏମ୍‌ର ୩୮, ଅଣ୍ଡର ଗ୍ରାଜୁଏଟ୍‌ର ବିଏ ଏଲ୍‌ଏଲ୍‌ବିର ୧୧୩ ଓ ବିବିଏ ଏଲ୍‌ଏଲ୍‌ବିର ୫୯ ଜଣଙ୍କୁ ମିଶାଇ ୧୭୨ ଜଣ ଅଛନ୍ତି। ମୋଟ୍‌ ୨୨ ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଯୋଗେଶ ପ୍ରତାପ ସିଂଙ୍କ ସମେତ ହାଇକୋର୍ଟ ବିଚାରପତି, ବରିଷ୍ଠ ଆଇନଜୀବୀ ଓ ବିଚାର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।