Categories: ଫୁରସତ

ଛୁଟି କଟାଇବାକୁ ଯାଇ ହରାଇଲେ ଗୋଡ଼

ଏଡିନବର୍ଗ: ବେଳେବେଳେ ଏପରି ହୋଇଥାଏ କି ଦୁନିଆର ମଜା ଉଠାଇବାକୁ କୌଣସି ସ୍ଥାନକୁ ଯାଇଥିବାବେଳେ ସେଠାରୁ ଅନେକ ଯନ୍ତ୍ରଣା ନେଇ ଫେରିବାକୁ ପଡ଼ିଥାଏ। ଏପରି କିଛି ଜଣେ ମହିଳାଙ୍କ ସହିତ ହୋଇଛି। ମହିଳା ଜଣକ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ ହେଲେ ଫେରିବା ପରେ ତାଙ୍କ ଜୀବନର ଢାଞ୍ଚା ବଦଳିଗଲା। ରିପୋର୍ଟ ମୁତାବକ, ସ୍କଟ୍‌ଲାଣ୍ଡର ବାସିନ୍ଦା ଭିକି ପେରିସ ନାମ୍ନୀ ମହିଳା ୨୦୧୮ରେ ଛୁଟି ବିତାଇବାକୁ ଯାଇଥିଲେ। ସେ ଏକ ସମୁଦ୍ରରେ ଗାଧୋଉଥିଲେ। ସେଠାରେ ତାଙ୍କୁ ପାଦରେ କିଛି ଫୋଡ଼ି ହୋଇଯିବା ଭଳି ଲାଗିଲା। ସେ ବାହାରକୁ ଆସି ଦେଖିବା ବେଳକୁ ତାଙ୍କ ପାଦରେ ଛୋଟିଆ ଖଣ୍ଡିଆ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ହେଲେ ସେ ତାଙ୍କର ସେ ଛୋଟିଆ ଖଣ୍ଡିଆ ପ୍ରତି ଧ୍ୟାନ ଦେଇ ନ ଥିଲେ। ପାଦ ଦରଜ ହେଲେ ସେ ସେଥିପାଇଁ ଔଷଧ ଖାଇ ଦେଉଥିଲେ। ୯ ବର୍ଷ ବୟସରୁ ଭିକିଙ୍କୁ ମଧୁମେହ ହୋଇଥିଲା। ଫଳରେ ଏହି ଖଣ୍ଡିଆ ନ ଶୁଖି ଅଧିକ ବ୍ୟାପି ଘା’ରେ ପରିଣତ ହେଲା। ଏହାର ୪ର୍ଥ ସପ୍ତାହ ବେଳକୁ ଯନ୍ତ୍ରଣା ସହ ହସ୍ପିଟାଲକୁ ଚେକ୍‌ଅପ୍‌ ପାଇଁ ଯିବାରୁ ତାଙ୍କ ଗୋଡ଼ କଟା ଯିବାକୁ ଡାକ୍ତର କହିଲେ। ଏହାପରେ ସର୍ଜରି ଜରିଆରେ ଆଣ୍ଠୁ ତଳୁ ଗୋଡ଼କୁ କଟାଗଲା। ସର୍ଜରିର କିଛି ମାସ ପରେ ତାଙ୍କୁ ହୁଇଲଚେୟାରରେ ବସିବାକୁ ପଡ଼ିଲା। ତା’ ପରେ ସେ କୃତ୍ରିମ ଗୋଡ଼ ସାହାଯ୍ୟରେ ଚାଲିବାକୁ ଚେଷ୍ଟା କଲେ। ଭିକିଙ୍କୁ ବର୍ତ୍ତମାନ ୪୨ ବର୍ଷ ବୟସ ହୋଇଥିବାବେଳେ ଯେତେବେଳେ ଏହି ଘଟଣା ଘଟିଲା ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା। ସେତେବେଳେ ଏକ ଛୋଟ ଖଣ୍ଡିଆକୁ ଗୁରୁତ୍ୱ ଦେଇ ନ ଥିବାରୁ ତାଙ୍କୁ ତାଙ୍କର ଗୋଡ଼ ହରାଇବାକୁ ପଡ଼ିଥିଲା। ଏବେ ସେ ଏଥିପ୍ରତି ସମସ୍ତଙ୍କୁ ସତର୍କ କରାଉଛନ୍ତି।

Share