‘ମୁର୍ଖଙ୍କ ଭଳି କାର୍ଯ୍ୟ କଲେ, ପରିଣାମ ଭୋଗିବାକୁ ପଡ଼େ’

ନୂଆଦିଲ୍ଲୀ,୧୭।୨: ମିଷ୍ଟର ଆଇପିଏଲ ଭାବେ ଜଣାଶୁଣା ସୁରେଶ ରାଇନା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଖେଳିବେ ନାହିଁ। ଇତିହାସରେ ପ୍ରଥମ ଥର ପାଇଁ ଏଭଳି ହେବାକୁ ଯାଉଛି। ବେଙ୍ଗାଲୁରୁଠାରେ ଆୟୋଜିତ ଦୁଇ ଦିନିଆ ମେଗା ଅକଶନରେ ରାଇନାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣି ନାହାନ୍ତି। ୨୦୦୮ରୁ ୨୦୨୧ ପର୍ଯ୍ୟନ୍ତ ପ୍ରତ୍ୟେକ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ଖେଳିଥିବା ଏହି ବ୍ୟାଟରଙ୍କୁ ନିଜ ମୁର୍ଖାମୀର ପରିଣାମ ଭୋଗିବାକୁ ପଡ଼ିଛି ବୋଲି କହିଛନ୍ତି ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ତଥା କମେଣ୍ଟଟେଟର ସାଇମନ ଡଲ।

“ରାଇନାଙ୍କୁ କୌଣସି ଫ୍ରାଞ୍ଚାଇଜ ନ କିଣିବା ପଛରେ ଦୁଇ ତିନୋଟି କାରଣ ରହିଛି। ୟୁଏଇରେ ସେ ସିଏସ୍‌କେ ଓ ଏହାର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରତି ବିଶ୍ୱସ୍ତତା ହରାଇ ହରାଇଥିଲେ। ଥରେ ଏଭଳି ହେଲା ପରେ ପୁନର୍ବାର ସ୍ବାଗତ କରାଯିବାର ସମ୍ଭାବନା ନାହିଁ” ବୋଲି ଡଲ କହିଛନ୍ତି। ଏଠାରେ ସେ ୨୦୨୦ ସଂସ୍କରଣ ପୂର୍ବରୁ ଘଟିଥିବା ଘଟଣା ସମ୍ପର୍କରେ କହିଛନ୍ତି। ରାଇନା ସିଏସ୍‌କେ ସହ ୟୁନାଇଟେଡ୍‌ ଆରବ ଏମିରେଟ୍ସ ଗସ୍ତ କରିଥିଲେ। ସିଜନ ଆରମ୍ଭ ହେବା ପୂର୍ବରୁ ରାଇନା ସ୍ବଦେଶ ଫେରି ଆସିଥିଲେ। ଏହାବାଦ୍‌ ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳୁ ନ ଥିବାରୁ ଏବେ ଫିଟ୍‌ ନାହାନ୍ତି। ଆଉ ଉଚ୍ଚ ବେସ୍‌ ପ୍ରାଇସ୍‌ ଯୋଗୁ କୌଣସି ଫ୍ରାଞ୍ଚାଇଜ ତାଙ୍କ ପ୍ରତି ଇଚ୍ଛା ପ୍ରକଟ କରି ନ ଥିଲେ।

“ତୁମର ଫିଟ୍‌ନେସ ନାହିଁ। ଶର୍ଟ ବଲ ପ୍ରତି ଦୁର୍ବଳତା ରହିଛି। କୌଣସି ଅକ୍‌ଶନରେ ତାଙ୍କୁ ୨ କୋଟି ଟଙ୍କାରେ କେହି କିଣିବେ ନାହିଁ। ସେ ଆଇପିଏଲର ଜଣେ କିମ୍ବଦନ୍ତୀ। ପ୍ରଥମ ୮ରୁ ୯ ବର୍ଷ ପର୍ଯ୍ୟନ୍ତ ସେ ସର୍ବାଧିକ ରନ୍‌ ସ୍କୋରର ଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ସମୟ ଶେଷ ହୋଇଛି। ମୁର୍ଖଙ୍କ ଭଳି କାର୍ଯ୍ୟ କଲେ ଏଭଳି ପରିଣାମ ଭୋଗିବାକୁ ପଡ଼େ” ବୋଲି ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆଇପିଏଲରେ ସର୍ବାଧିକ ରନ୍‌ ସ୍କୋର କରିବା ତାଲିକାରେ ରାଇନା ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ୨୦୫ ମ୍ୟାଚ୍‌ରେ ୫,୫୨୮ ରନ୍‌ କରିଥିଲେ।

Share