ଡାକ୍ତରାଣୀଙ୍କୁ ବିବାହ କରି ୨୩ ଲକ୍ଷ ଲୁଟିଥିଲେ ନକଲି ଡାକ୍ତର

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ ପରେ ଠକେଇ ଓ ପ୍ରତାରଣା କରି ଜେଲରେ ଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ ପୁଣି ରିମାଣ୍ଡରେ ଆସିବେ। କମିଶନରେଟ ପୋଲିସ ତାଙ୍କୁ ୭ଦିନିଆ ରିମାଣ୍ଡରେ ଆଣିବାକୁ ଗୁରୁବାର କୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ ରମେଶଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ତେବେ ଜେଲ୍‌ ଯାଇଥିବା ତାଙ୍କ ଭଉଣୀ ରଶ୍ମିତା ବେହୁରାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ ହୋଇ ନ ଥିବା ପୋଲିସ କହିଛି। ଅପରପକ୍ଷରେ ରମେଶ ବିବାହ କରିଥିବା ଆସାମ ଗୁଆହାଟୀର ଜଣେ ଡାକ୍ତରାଣୀ ଗୁରୁବାର ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଠକେଇର ଶିକାର ସମ୍ପୃକ୍ତ ଡାକ୍ତରାଣୀଙ୍କ ସହ ତାଙ୍କ ବାପା ଓ ଭାଇଙ୍କ ୧୬୪ ସିଆର୍‌ପିସିରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ପୋଲିସ ବୟାନ ରେକର୍ଡ କରିଛି। ବିବାହ ପରେ ଡାକ୍ତରାଣୀଙ୍କଠାରୁ ୨୩ଲକ୍ଷ ଟଙ୍କା ଓ ପରିବାରଠାରୁ ସୁନା ଅଳଙ୍କାର ଆଦି ଠକି ନେଇଥିବା ଜଣାପଡିଛି।
ସେମାନଙ୍କ ବୟାନ ଅନୁସାରେ, ଡାକ୍ତରାଣୀଙ୍କ ସହ ରମେଶ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ସମ୍ପର୍କ ସ୍ଥାପନ କରିଥିଲେ। ଏହାପରେ ତାଙ୍କୁ ଦେଖା କରିବାକୁ ସେ ବିମାନରେ ଗୁଆହାଟୀ ଯାଇ ବିବାହ ନେଇ ଆଲୋଚନା କରିଥିଲେ। ତେବେ କରୋନା ପାଇଁ ବିବାହ ତାରିଖ ଘୁଞ୍ଚତ୍ଥିଲା। ୨୦୨୧ ମେ ୩୧ରେ ରମେଶ ତାଙ୍କୁ ଭୁବନେଶ୍ୱରର ଏକ ହୋଟେଲରେ ବିବାହ କରିଥିଲେ। ବିବାହ ସମୟରେ ରମେଶଙ୍କ ଭିଣୋଇ ଗଣେଶ୍ୱର, ଭଉଣୀ ରଶ୍ମିତା ଓ ଡ୍ରାଇଭର ପପୁ ମଧ୍ୟ ଥିଲେ। ଏହାପରେ ସେ ତାଙ୍କ ଡେବିଟ୍‌ କାର୍ଡ ନେଇ ୨୩ ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଏମ୍‌ସରେ ଚାକିରି କରେଇଦେବାକୁ କହି ରମେଶ ତାଙ୍କର ଜଣେ କର୍ମଚାରୀଙ୍କଠାରୁ ୧୦ ଲକ୍ଷ ମଧ୍ୟ ଠକି ନେଇଥିଲେ।
ଅନ୍ୟପକ୍ଷରେ ରମେଶ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଆପାର୍ଟମେଣ୍ଟର ମାଲିକ ମଧ୍ୟ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ରମେଶ ଭୁଲ୍‌ ତଥ୍ୟ ଦେଇ ସେଠାରେ ରହିଥିଲେ ବୋଲି ସେ ପୋଲିସ ନିକଟରେ କହିଛନ୍ତି। ତେବେ ଠକେଇର ତାଲିକା ବଢ଼ୁଥିବାରୁ ଆଗକୁ ରମେଶଙ୍କ କାରନାମାର ଆହୁରି ଗୁମର ଖୋଲିବାକୁ ୩ ଦିନିଆ ରିମାଣ୍ଡରେ ଜେରା କରିବ। ଏଥିସହ ବିଭିନ୍ନ ଦିଗକୁ ନେଇ ତଦନ୍ତ କରି ଏକ ବଳିଷ୍ଠ ଚାର୍ଜଶିଟ୍‌ ପ୍ରସ୍ତୁତ କରିବାକୁ କମିଶନରେଟ ପୋଲିସ ଆଶା ରଖିଛି।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ରମେଶଙ୍କ ମାମଲାର ତଦନ୍ତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨ଟି ମହିଳା ଟିମ୍‌ ଗଠନ ହେବ। ସେଥିରେ ମହିଳା ପୋଲିସଙ୍କ ସମେତ ଚାଟାର୍ଡ ଆକାଣ୍ଟାଣ୍ଟ୍‌, କାଉନ୍‌ସେଲର, ଆଇନ୍‌ ପରାମର୍ଶଦାତା ରହିବେ। ୨ ମାସରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଟିମ୍‌ ତଦନ୍ତ କରି ଏହି ମାମଲାରେ ଅଧିକ ତଥ୍ୟ ହାସଲ କରିବ।
ସୂଚନାଯୋଗ୍ୟ, ଅଭିଯୁକ୍ତ ରମେଶ ବିଭିନ୍ନ ମାଟ୍ରିମୋନିଆଲ ଓ ସୋସିଆଲ୍‌ ସାଇଟ୍‌ରୁ ଉଚ୍ଚଶିକ୍ଷିତା ମହିଳାଙ୍କୁ ଫସାଇ ବିବାହ କରୁଥିଲେ। ପରବର୍ତ୍ତୀ ସମୟରେ ଟଙ୍କା, ସୁନା ଓ ସମ୍ପତ୍ତି ଲୁଟୁଥିଲେ। ତାଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ତଦନ୍ତରୁ ରମେଶଙ୍କ କଳାକାରନାମା ପଦାକୁ ଆସିଥିଲା। ଏଥିସହ ଚାକିରି ଓ ଡାକ୍ତରୀ ପାଠରେ ନାମଲେଖା ପାଇଁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।

Share