ଝାରସୁଗୁଡ଼ାରେ କମିଛି ମାଟ୍ରିକ ପାସ ହାର: ଗତବର୍ଷ ଥିଲା ୮୫.୪୮, ଏବର୍ଷ ରହିଛି…

ଝାରସୁଗୁଡ଼ା ଅଫିସ,୨୯ା୭: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ଜିଲାର ୩୮ଟି ପରୀକ୍ଷା କେନ୍ଦ୍ରରେ ୧୧୭ ହାଇସ୍କୁଲର ୬,୪୦୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪,୯୪୩ ଜଣ ପାସ୍‌ କରିଛନ୍ତି। ଜିଲାରେ ପାସ୍‌ ହାର ୭୭.୨୦ ପ୍ରତିଶତ ହୋଇଛି। ଯାହା ଗତ ୨୦୧୯ରେ ୮୫.୪୮ ପ୍ରତିଶତ ଥିଲା। ରାଜ୍ୟର ସମସ୍ତ ଜିଲା ତୁଳନାରେ ୨୦୧୯ମସିହାରେ ଝାରସୁଗୁଡ଼ା ଜିଲା ୧ ନମ୍ବରରେ ରହିଥିଲା। ତେବେ ବିଗତ ବର୍ଷର ଫଳାଫଳକୁ ଅନୁଧ୍ୟାନ କଲେ ଜିଲାରେ ଚଳିତ ବର୍ଷ ପାସ ହାର୍‌ କମିଥିବାରୁ ଅଭିଭାବକ ମହଲରେ ଚିନ୍ତାର ବିଷୟ ପାଲଟିଛି। ପ୍ରକାଶିତ ଫଳ ଅନୁସାରେ ଏ-୧ ଗ୍ରେଡ୍‌ରେ ୨ ଜଣ, ଏ-୨ ଗ୍ରେଡ୍‌ରେ ୫୪ଜଣ, ଗ୍ରେଡ ବି-୧ରେ ୧୬୭ ଜଣ, ବି-୨ରେ ୩୩୫ ଜଣ, ସି ଗ୍ରେଡ୍‌ରେ ୬୦୯ ଜଣ, ଡି ଗ୍ରେଡ୍‌ରେ ୧୦୯୮ ଜଣ, ଇ ଗ୍ରେଡ୍‌ରେ ୨୬୭୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଜିଲାର ଦୁଇଜଣ ଛାତ୍ର ଏ-୧ ଗ୍ରେଡ୍‌ ପାଇଥିବା ବେଳେ ଚଳିତ ବ୍ରଜରାଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ବିଜୟ କୁମାର ସେନାପତି ୫୪୧ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ତାଙ୍କ ବାପା ଦାମୋଦର ସେନାପତି ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ମା’ ଅନ୍ନପୂର୍ଣ୍ଣା ଜଣେ ଗୃହିଣୀ। ସେହିପରି ବିଜୟ ତାଙ୍କର ଏହି ସଫଳତାର ଶ୍ରେୟ ବାପା ମା’ ଓ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଦେଇଛନ୍ତି। ସେ ପ୍ରତିଦିନ ୧୪ରୁ ୧୫ଘଣ୍ଟା ପରିଶ୍ରମ କରୁଥିବା କହିଛନ୍ତି। ସେ ଭବିଷ୍ୟତରେ ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି।
ସେହିପରି ଜିଲାରେ ଏ-୧ ଗ୍ରେଡ୍‌ ରଖିଥିବା ଆଉ ଜଣେ ଛାତ୍ର ହେଉଛନ୍ତି ନିକତିମାଲ ହାଇସ୍ପୁଲର ଦିବେଶ ବେହେରା। ସେ ୫୪୦ ମାର୍କ ରଖିଛନ୍ତି। ଦିନକୁ ସେ ୧୪ରୁ ୧୫ ଘଣ୍ଟା ପରିଶ୍ରମ କରୁଥିଲେ। ଭବିଷ୍ୟତରେ ସେ ଭାରତୀୟ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି। ଦିବେଶଙ୍କ ବାପା କୃଷ୍ଣଚନ୍ଦ୍ର ବେହେରା ଓ ମା’ଙ୍କୁ ହରାଇଥିବା ବେଳେ ଜଣେ ସମ୍ପର୍କୀୟଙ୍କ ଘରେ ରହି ପଢୁଥିଲେ। ସେ ତାଙ୍କର ସଫଳତା ତାଙ୍କ ବାପା ମା’ଙ୍କୁ ଉତ୍ସର୍ଗୀକୃତ କରିଥିବା କହିଛନ୍ତି। ତାଙ୍କ ବାପାଙ୍କ ସ୍ବପ୍ନ ଥିଲା ଯେ ଦିବେଶ ଭାରତୀୟ ପ୍ରଶାସନିକ ଅଧିକାରୀ ହେବେ। ଏଣୁ ବାପାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଅଧିକ ପରିଶ୍ରମ କରିବେ ବୋଲି ଦିବେଶ କହିଛନ୍ତି।

Share