ପଚିଗଲା ଧାନ ଫସଲ

ଆଠମଲ୍ଲିକ, ୨୮।୮ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଅନେକ ପଞ୍ଚାୟତକୁ ସପ୍ତାହେ ଧରି ବୁଡ଼ାଇ ରଖିଥିବା ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡ଼ିଯାଇଛି। ତେବେ ବନ୍ୟା ପାଣିରେ ଧାନ ଫସଲ ପଚି ଯାଇଥିବାରୁ ଉଜୁଡ଼ା କ୍ଷେତ ଦେଖି ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ପ୍ରକାଶ ଯେ, ଆଠମଲ୍ଲିକ ବ୍ଲକର ୧୩ଟି ପଞ୍ଚାୟତ ମହାନଦୀର ବନ୍ୟା ପାଣିରେ ପ୍ରଭାବିତ ହୋଇଛି। ୪୭୦୦ ଏକର ଚାଷ ଜମି ପାଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗ ତରଫରୁ ଆକଳନ କରାଯାଇଛି। ତେବେ କ୍ଷୟକ୍ଷତିର ଆକଳନ କରାଯାଇ ନ ଥିବାରୁ ପ୍ରକୃତରେ କେତେ ଜମିରେ ଫସଲ ବଞ୍ଚିବାର ଆଶା ଅଛି ଓ କେତେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ତାହା ଏଯାଏ ଜଣାପଡ଼ି ନାହିଁ। ହେଲେ ପଇଁଚକୂଳ ଅଞ୍ଚଳର ଜାମୁଡୋଲୀ, ଲୁହାସିଙ୍ଗା, ଅଏଡା, ନଅଗାଁ, ଆଠମଲ୍ଲିକ ଏନଏସି ଓ ଚଉରାଶି ଅଞ୍ଚଳର ପୁରୁଣାମାଣତ୍ରୀ, କୁଦଗାଁ, ଲୁଣହାଣ୍ଡି, କମ୍ପଲା, କନ୍ଧପଡା, କିଆକଟା, ବାସୁଦେବପୁର, ମାଧପୁର ପଞ୍ଚାୟତରେ ଥିବା ଚାଷ ଜମି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ତୁରନ୍ତ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯିବା ସହ ଚାଷୀଙ୍କୁ ବିନା ମୂଲ୍ୟରେ ମୁଗ, ବିରି, ବାଦାମ ବିହନ ଯୋଗାଇ ଦେବାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚିତ୍ତରଞ୍ଜନ କର୍ଣ୍ଣ, ପୂର୍ବତନ ସମିତି ସଭ୍ୟ ବିଜୟାନନ୍ଦ ପ୍ରଧାନ, ସାମାଜିକ କର୍ମୀ ବିନୟ କୁମାର ପଟ୍ଟନାୟକ ଦାବି କରିଛନ୍ତି।