Advertisement

ଦେହରେ ନିଅଁା ଲଗାଇ ଦୌଡ଼ିଲେ

ପ୍ୟାରିସ: ଦୈନନ୍ଦିନ କାର୍ଯ୍ୟକଳାପଠାରୁ ଆଗକୁ ବଢ଼ି ଯଦି କେହି ଅଲଗା କରନ୍ତି, ଲୋକେ ତାକୁ ମନେ ରଖିନ୍ତି। ନିକଟରେ ଫ୍ରାନ୍ସର ଜଣେ ଯୁବକ ଏପରି କିଛି କରିଛନ୍ତି। ତାଙ୍କର ଏପରି କାର୍ଯ୍ୟରେ କେହି ବି ଡରିଯିବେ। ଜୋନାଥନ ଭେରୋ ନାମକ ଜଣେ ଫ୍ରେନ୍ଚ ଫାୟାରଫାଇଟର ନିଜ ଶରୀରରେ ନିଅଁା ଲଗାଇ ଅଧିକ ବାଟ ଦୌଡ଼ିବାରେ ସଫଳ ହୋଇଛନ୍ତି। ଏପରି କାର୍ଯ୍ୟ କରି ସେ ଗିନିଜ୍‌ ରେକର୍ଡରେ ନିଜ ନାମ ଲେଖାଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଗିନିଜ୍‌ ୱାଲର୍‌ଡ ରେକର୍ଡ ମୁତାବକ, ବିନା ଅମ୍ଳଜାନରେ ସୁରକ୍ଷା ଶୁଟ୍‌ ପିନ୍ଧି ଦେହରେ ନିଅଁା ଲଗାଇ ୨୭୨. ୨୫ ମିଟର ଦୌଡ଼ିଛନ୍ତି। ସେ ପୁରୁଣା ରେକର୍ଡ ୨୦୪.୨୩କୁ ଭାଙ୍ଗି ଦେଇଛନ୍ତି। ଏଥିସହ ଜୋନାଥନ ଫୁଲବଡ଼ି ବର୍ଣ୍ଣ ୧୦୦ ମିଟର ଦୌଡ଼ରେ ସବୁଠୁ ଦ୍ରୁତ ଗତିରେ ଦୌଡ଼ି ରେକର୍ଡ କରିଛନ୍ତି। ଜୋନାଥନ ତାଙ୍କର ଏହି ଷ୍ଟଣ୍ଟକୁ ମୋଟ ୧୭ ସେକେଣ୍ଡରେ ପୂରଣ କରିପାରିଛନ୍ତି, ଯାହାକି ପୂର୍ବ ରେକର୍ଡ ମୁତାବକ ୭.୫୮ ସେକେଣ୍ଡକୁ ଭାଙ୍ଗି ଦେଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଜୋନାଥନଙ୍କ ଶରୀରରେ ନିଅଁା ଲଗାଇ ଦିଆଯାଉଛି। ଏହାପରେ ସେ ଦୌଡ଼ିବା ଆରମ୍ଭ କରିବା ସହ ତାଙ୍କ ଶରୀରରେ ନିଅଁା ପୂରା ଖେଳିଯାଉଛି। ଏହା ସହିତ ସେ ଦ୍ରୁତଗତିରେ ଦୌଡ଼ି ରେକର୍ଡ କରିବାରେ ସଫଳ ହୋଇଛନ୍ତି। ଏହାର ୧୪ ବର୍ଷ ପୂର୍ବରୁ ଇଂଲଣ୍ଡର କିଥ ମେଲକମ୍‌ ଏହି ରେକର୍ଡକୁ ନିଜ ନାମରେ କରିଥିଲେ। କିଥଙ୍କଠାରୁ ଜୋନାଥନ ୩ ଗୁଣା ଅଧିକ ଦ୍ରୁତ ଗତିରେ ଦୌଡ଼ିଥିଲେ। ଜୋନାଥନ ଜଣେ ଫାୟାରଫାଇଟର ସହ ଷ୍ଟଣ୍ଟମ୍ୟାନ ମଧ୍ୟ। ସେ ଛୋଟବେଳୁ ନିଅଁାରେ ଖେଳିବାକୁ ସୌକ ରଖିବା ସହ ଫାୟାର ଶୋ’ ମଧ୍ୟ କରିଥାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share