ଖୋର୍ଦ୍ଧା,୨୮ା୮(ପ୍ରଭାତ ପାଣିଗ୍ରାହୀ): କଥାରେ ଅଛି, ଇଚ୍ଛା ଥିଲେ ସଫଳତା ଆପେ ଆପେ ମିଳିଥାଏ। ଦୃଢ଼ ମନୋବଳ ଓ କଠିନ ପରିଶ୍ରମ ଶୀର୍ଷରେ ପହଞ୍ଚାଇଥାଏ। ଏହାର ଉଦାହରଣ ସାଜିଛନ୍ତି ୩ ଯୁବବନ୍ଧୁ। କଲେଜ ପାଠପଢ଼ା ସାରିବା ପରେ କିଛିଦିନର ଚାକିରିକୁ ଛାଡ଼ି ପରିବା ଚାଷକରି ସ୍ବାବଲମ୍ବୀ ହୋଇଛନ୍ତି। ବର୍ଷକୁ ୧୦ରୁ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଗ୍ରାମର ଏକାଧିକ ଯୁବକଙ୍କୁ ରୋଜଗାର ଯୋଗାଇଛନ୍ତି। ଚାଷରୁ ମୁହଁ ଫେରାଇ ଚାକିରି ପଛରେ ଧାଉଁଥିବା ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏମାନେ ହେଉଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ଗ୍ରାମର ସନ୍ତୋଷ, ଲିପୁ ଓ ସିତାଂଶୁ ସ୍ବାଇଁ। ଏହି ୩ ସାଙ୍ଗ ଧାନ ପରିବର୍ତ୍ତେ ପନିପରିବା ଚାଷକୁ ପ୍ରାଥମିକତା ଦେଇଛନ୍ତି। ଆଧୁନିକ ଜ୍ଞାନକୌଶଳ ଆପଣାଇ ଜୈବିକ ପଦ୍ଧତିରେ ଚାଷ କରି ବାଇଗଣ, କଲରା, ଝୁଡ଼ଙ୍ଗ, କାକୁଡ଼ି, ଜହ୍ନି, ଭେଣ୍ଡି, ପୋଟଳ, ଟମାଟୋ, କଞ୍ଚାଲଙ୍କା ଓ କୁନ୍ଦୁରି ପ୍ରଭୃତି ବିଭିନ୍ନ ପନିପରିବା ଅମଳ କରୁଛନ୍ତି। ଖରାଟିଆ ଓ ଶୀତଦିନିଆ ପରିବାଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି।
କହିଛନ୍ତି, ଆମେ ତିନି ସାଙ୍ଗ ପିଲାଟିବେଳୁ ଗାଁ ଦାଣ୍ଡରେ ଏକାଠି ବୁଲିବା, ଖେଳିବା ସହ ପାଠପଢା ଜାରି ରଖିଥିଲୁ। ସ୍ନାତକ ପାସ୍ କରିବା ପରେ ଚାକିରି ଉଦ୍ଦେଶ୍ୟରେ ବାହାର ରାଜ୍ୟକୁ ଚାଲିଯାଇଥିଲୁ। ସେଠାରେ କିଛିମାସ ଘରୋଇ କମ୍ପାନୀରେ କାମ କରିବା ପରେ ଫେରିଆସିଥିଲୁ। ଏଠାରେ ଏକାଠି ମିଶି ଏକ ବ୍ୟବସାୟ କରିବାକୁ ଚିନ୍ତା କରିଥିଲୁ। ତେବେ ପରେ ଚାଷ କରିବାକୁ ମନସ୍ଥ କଲୁ। ଧାନ ପରିବର୍ତ୍ତେ ପରିବା ଚାଷ ପାଇଁ ନିଷ୍ପତ୍ତି ନେଇଥିଲୁ। ନିଜ ନିଜ ବାପାଙ୍କ ସହ ଏ ସମ୍ପର୍କରେ କଥା ହୋଇଥିଲୁ। ଆମେ ଚାଷୀଘର ପିଲା ହୋଇଥିବାରୁ ପୂର୍ବରୁ ଚାଷକାର୍ଯ୍ୟ ନେଇ କିଛି ଅଭିଜ୍ଞତା ଥିଲା। ପରିବାର ଲୋକେ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ। ଫଳରେ ପରିବା ଚାଷ ଆରମ୍ଭ କରିଥିଲୁ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଲିପୁ କହିଛନ୍ତି, ବଜାରରେ ପରିବା ଦର ଯାହା, ପୁଣି ଜଳସେଚନ, ବିହନ, ସାର ସମସ୍ୟା ମଧ୍ୟ ରହିଛି। ବହୁ ଘାତ ପ୍ରତିଘାତ ମଧ୍ୟରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲୁ। ଦୀର୍ଘ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଯେତେବେଳେ ପ୍ରଥମ ଫଳ ଧରିବା ଆରମ୍ଭ କରିଥିଲା, ସେତେବେଳେ ମନରେ ଆନନ୍ଦ ଖେଳିଯାଇଥିଲା। ସିତାଂଶୁ କହିଛନ୍ତି, ପନିପରିବାରୁ ମାସିକ ୩୦ରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଛି। ଚାଷ କାର୍ଯ୍ୟରେ ଏକାଧିକ ଯୁବକଙ୍କୁ ମଧ୍ୟ ନିଯୁକ୍ତି ଦେଇଛୁ। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇପାରିଛୁ। ପୂର୍ବରୁ ସ୍ଥାନୀୟ ବଜାର, ଖୋଦ୍ଧର୍ର୍ା ସମେତ ରଣପୁର, ବାଙ୍କୀ ପ୍ରଭୃତି ଅଞ୍ଚଳକୁ ପରିବା ବିକ୍ରି କରିବାକୁ ନେଉଥିଲେ। ଏବେ କିନ୍ତୁ ବେପାରୀ ତାଙ୍କ ନିକଟକୁ ଆସି କିଣି ନେଉଛନ୍ତି ବୋଲି ସିତାଂଶୁ ପ୍ରକାଶ କରିଛନ୍ତି। ଗ୍ରାମର ଦୁର୍ଗାପ୍ରସାଦ ସ୍ବାଇଁ କହିଛନ୍ତି, ଏହି ତିନିଜଣ ଯୁବକ ଗ୍ରାମର ଅନ୍ୟମାନଙ୍କ ଆଖି ଖୋଲିଦେଇଛନ୍ତି। ଚାକିରି ପଛରେ ଗୋଡ଼ାଇବା ପରିବର୍ତ୍ତେ ଚାଷ କାର୍ଯ୍ୟରୁ ମଧ୍ୟ ସଫଳ ଉଦ୍ୟୋଗୀ ହୋଇପାରିବ ତାହା ଏମାନେ କରି ଦେଖାଇଛନ୍ତି। ଏମାନଙ୍କୁ ଦେଖି ଗ୍ରାମର ଅନ୍ୟ ଯୁବକଙ୍କ ମନରେ ଚାଷକାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୋଇଛି। ଏଠାରେ ଶୀତଳଭଣ୍ଡାର ବ୍ୟବସ୍ଥା କରାଗଲେ ଅମଳ ପରିବାକୁ ସଂରକ୍ଷଣ ରଖାଯିବା ସୁବିଧା ହୋଇପାରନ୍ତା ବୋଲି ସେ ମତ ଦେଇଛନ୍ତି। ଏବେ ସନ୍ତୋଷ, ଲିପୁ ଓ ସିତାଂଶୁଙ୍କୁ ଚାରିଆଡୁ ପ୍ରଂଶସାର ସୁଅ ଛୁଟିବାରେ ଲାଗିଛି।