ମିଳିଲେ ସାଇ, ରେଜଲ୍ଟ ଚିନ୍ତାରେ ପୁରୀ ପଳାଇଥିଲେ

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଜେଲ ରୋଡ୍‌ରେ ରହୁଥିବା ଛାତ୍ର ସାଇପ୍ରସାଦ ପଣ୍ଡା ନିଖୋଜ ହେବାର ୨ଦିନ ପରେ ଶୁକ୍ରବାର ମିଳିଛନ୍ତି। ସେ ବଡ଼ଗଡ଼ ଅଞ୍ଚଳରେ ରହୁଥିବା ଜଣେ କିନ୍ନରଙ୍କ ପାଖରେ ଥିବାବେଳେ ପରିବାର ଲୋକ ତାଙ୍କୁ ସେଠାରୁ ଘରକୁ ଆଣିଛନ୍ତି। ମାଟ୍ରିକ ପରୀକ୍ଷା ଫଳାଫଳ ପାଇଁ ଚିନ୍ତାରେ ଥିବାରୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସାଇ ପୁରୀ ଚାଲିଯାଇଥିଲେ ବୋଲି ବାପା ଅରୁପ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ବୁଧବାର ସାଇ ୟେଷା ଇନ୍‌ଷ୍ଟିଚ୍ୟୁଟ୍‌ରେ କୋଚିଂ ସାରି ସାଇକେଲରେ ଏକା ପୁରୀ ପଳାଇଥିଲେ। ଗୁରୁବାର ଜଗନ୍ନାଥଙ୍କ ଦର୍ଶନ କରି ଘରକୁ ଫେରିଥିଲେ। ହେଲେ ରାତି ପ୍ରାୟ ୧୧ଟାରେ ପୁରୀ ବାଇପାସ୍‌ ପାଖରେ ସାଇ କାନ୍ଦୁଥିବାବେଳେ ଜଣେ କିନ୍ନର ତାଙ୍କୁ ବୁଝାଇ ଘରକୁ ନେଇଯାଇଥିଲେ। ପରେ ସେ ପରିବାର ଲୋକକୁ ଫୋନ୍‌ କରି ଘଟଣା ସଂକ୍ରାନ୍ତରେ ଖବର ଦେଇଥିଲେ ବୋଲି ବାପା ଅରୁପ କହିଛନ୍ତି।
ସୂଚନାଯୋଗ୍ୟ, ସାଇ ରସୁଲଗଡ଼ ସବରସାହିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ପରେ କୋଚିଂ ନେଉଥିଲେ। ବୁଧବାର ଅପରାହ୍ନ ପ୍ରାୟ ୩ଟା ୩୦ରେ ଉକ୍ତ କୋଚିଂ ସେଣ୍ଟରକୁ ଯାଇ ଘରକୁ ନ ଫେରିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ। ଏନେଇ ଶହୀଦନଗର ଥାନାରେ ଏତଲା ପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଖୋଜାଖୋଜି କରିଥିଲା। ଇତିମଧ୍ୟରେ ବୁଧବାର ମାଟ୍ରିକ ପରୀକ୍ଷା ଫଳ ବାହାରିଥିଲା। ସେ ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଥିଲେ ମଧ୍ୟ ପରିବାରରେ ଖୁସି ନ ଥିଲା। ଏବେ ସାଇଙ୍କୁ ପାଇ ମା’ବାପା ଆଶ୍ୱସ୍ତ ହୋଇଛନ୍ତି।

Share