Categories: ଫୁରସତ

Viral Video: ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଗାଡ଼ି, ଆଉ ତା’ ପରେ…

ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣକୁ ସାହାଯ୍ୟ କରେ ନାହିଁ ତେବେ ସେ ମଣିଷ ବୋଲି କହିବା ଯୋଗ୍ୟ ନୁହେଁ। ଆଜିକାଲି ଅନେକ ଲୋକ କୁହନ୍ତି, ମାନବିକତା ଦୁନିଆରୁ ହଜିଗଲାଣି। ମାତ୍ର ଏବେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିଲେ କହିବେ ଆଜି ବି ମାନବିକତା ବଞ୍ଚିଛି। ଭିଡିଓରେ ଏକ କଦଳୀ ବୋଝେଇ ଗାଡ଼ି ରାସ୍ତାରେ ଓଲଟି ପଡ଼ିଛି। ଏହା ପରେ ଲୋକମାନେ ଯାହା କରିଛନ୍ତି ଦେଖିଲେ ପ୍ରଶଂସା କରିବେ।

@ Hatindersinghr3 ନାମକ ଏକ ‘ଏକ୍ସ’ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ଯାହା ଭାଇରାଲ ହେଉଛି। ଏହି ଭିଡିଓ ପଞ୍ଜାବର ଅମୃତସର ସହରରୁ ଆସିଛି। ଭିଡିଓ ସହିତ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ଅମୃତସର ବିମାନବନ୍ଦର ରାସ୍ତାରେ ୧୦ହଜାର କଦଳୀ ନେଇ ଯାଉଥିବା ଏକ ଗାଡ଼ି ଓଲଟି ପଡ଼ିଛି। ଗାଡ଼ିଟି ଓଲଟି ପଡ଼ିବାରୁ ସବୁ କଦଳୀ ତଳେ ପଡ଼ିଯାଇଥିଲା।

କିନ୍ତୁ ରାସ୍ତାରେ ଯାଉଥିବା ଲୋକେ କଦଳୀ ଘରକୁ ବୋହି ନେଇ ଯାଇନାହାନ୍ତି ବରଂ ଡ୍ରାଇଭରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ସେମାନେ ଏକାଠି କଦଳୀ ଗୋଟାଇଲେ ଏବଂ ଟ୍ରକ୍‌ରେ ଲୋଡ୍‌ କଲେ। ଭିଡିଓରେ ଏହା ମଧ୍ୟ ଲେଖାଯାଇଛି କାହାର ସମସ୍ୟା ସମୟରେ ଫାଇଦା ନେବା ଭୁଲ୍‌ ଅଟେ।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ଲୋକ ଦେଖିଥିବା ବେଳେ କିଛି ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ଯଦି ସେହି ଟ୍ରକ୍‌ରେ ମଦ ଥାନ୍ତା, ତେବେ ସମସ୍ତେ ନେଇ ଯାଇଥାନ୍ତେ। ଆଉ ଜଣେ ୟୁଜର କହିଛନ୍ତି, ଉତ୍ତରପ୍ରଦେଶରେ ଲୋକମାନେ କୁକୁଡ଼ା ଚୋରି କରିବା ଆରମ୍ଭ କରି ଦେଇଛନ୍ତି। ଅନ୍ୟ ଜଣେ କହିଛନ୍ତି, ଆବଶ୍ୟକତା ସମୟରେ ଲୋକମାନେ ସାହାଯ୍ୟ କରିବାକୁ ଆଗେଇ ଆସିବା ଦେଖିଲେ ଖୁସି ଲାଗେ।

Share