୫ କୋଟି ଟଙ୍କାର ରାଜ ସିଂହାସନ ଗାଏବ

ଲକ୍ଷ୍ନୌ,୩୧ା୮: ସମସ୍ତେ ଜାଣିଛନ୍ତି ସ୍ବାଧୀନତା ପୂର୍ବରୁ ଭାରତରେ ଅନେକ ରାଜା ଶାସନ କରୁଥିଲେ। ୧୯୪୭ ପରେ ଏହି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାତ୍ର ଆଜି ମଧ୍ୟ ରାଜପରିବାରରେ ସମ୍ପତ୍ତିକୁ ନେଇ ତୁମ୍ବି ତୋଫାନ ଚାଲିଛି।
ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି। ଏଠାକାର ଶେଷ ନବାବ ଅଲ୍ଲୀ ଖାଁଙ୍କ ସମ୍ପତ୍ତିକୁ ନେଇ ମକଦ୍ଦମା ଚାଲିଛି। ତାଙ୍କ ପୁଅ କାଜିମ୍‌ ଅଲ୍ଲୀ ଖାଁ ହୀରା ଖଚିତ ସିଂହାସନ ଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ସିଂହାସନର ମୂଲ୍ୟ ପ୍ରାୟ ୫ କୋଟି ହେବ। ସେ ରାମପୁର ସିଂହାସନ ଗାଏବ ହୋଇଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଏଠାରେ ଦୁଇଟି ସିଂହାସନ ଥିଲା। ଯାହାକି ଦରବାର ହଲ୍‌ରେ ରଖାଯାଇଥିଲା। ଗୋଟିଏ ରୁପା ଏବଂ ଅନ୍ୟଟି ହୀରାର ଥିଲା। ୧୯୪୯ରେ ଏହି ଦୁଇ ସିଂହାସନକୁ ଖାସବାଗକୁ ଅଣାଯାଇଥିଲା। ତେବେ ହୀରା ଖଚିତ ସିଂହାସନକୁ କେହି ଚୋରି କରି ନେଇଯାଇଛି। ଏହା ଚୋରି ହେବା ପରେ ସେ କହିଛନ୍ତି, ଏହା କେବଳ ମୋ’ ସମ୍ପତ୍ତି ନୁହେଁ, ଏହା ଜାତୀୟ ସମ୍ପତ୍ତି।

Share