ସିଗ୍‌ନାଲିଂ ବ୍ୟବସ୍ଥା ବିକଶିତ କରିବେ ଓଡ଼ିଆ ଆଇଆଇଟି ପ୍ରଫେସର

ଭୁବନେଶ୍ୱର, ୧୨। ୭: ବାହାନଗାରେ ଟ୍ରିପଲ ଟ୍ରେନ୍‌ ଦୁର୍ଘଟଣା ପରେ ଭାରତୀୟ ରେଳପଥ ସିଗ୍‌ନାଲିଂ ବ୍ୟବସ୍ଥାକୁ ବିକଶିତ କରିବା ଉପରେ ଏବେ ଲକ୍ଷ୍ୟ କେନ୍ଦ୍ରିତ କରିଛି। ଏହି କ୍ରମରେ ଆଇଆଇଟି ଖଡ଼ଗପୁରରେ ଇଲେକ୍‌ଟ୍ରିକାଲ ଆଣ୍ଡ୍‌ ଇଲେକ୍‌ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗ ଓଡ଼ିଆ ପ୍ରଫେସର ଅରବିନ୍ଦ ରାଉତରାୟଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେ ବ୍ଲକ୍‌ଚେନ୍‌ ଉପରେ ଆଧାରିତ ଟାମ୍ପର ପ୍ରୁଫ୍‌ ସିଗ୍‌ନାଲିଂ ସିଷ୍ଟମ ବିକଶିତ ସଂକ୍ରାନ୍ତ ପ୍ରକଳ୍ପର ନେତୃତ୍ୱ ନେଇଛନ୍ତି। ବର୍ତ୍ତମାନ ସେ ରେଲଓ୍ବେ ଅଧିକାରୀଙ୍କ ସହ ମିଶି ଏହି ଉନ୍ନତ ଜ୍ଞାନକୌଶଳର ଡିଜାଇନ୍‌ ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ଡିଜାଇନ୍‌ ଶେଷ କରିବା ଲାଗି ଆହୁରି ୧୫ ଦିନ ସମୟ ଲାଗିବ ବୋଲି କୁହାଯାଉଛି।
ବାହାନଗା ରେଳ ଦୁର୍ଘଟଣା ପରେ ସିଗ୍‌ନାଲିଂ ବ୍ୟବସ୍ଥାରେ ହେରଫେରକୁ ରୋକିବା ଦିଗରେ ଚାର୍ଟ ପ୍ରସ୍ତୁତ କରିବା ନିମନ୍ତେ ଆମେ ରେଲଓ୍ବେ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲୁ ଓ ସେହି ଦିଗରେ କାର୍ଯ୍ୟ ଚାଲିଛି ବୋଲି ପ୍ରଫେସର ରାଉତରାୟ କହିଛନ୍ତି। ଏବେ ଉକ୍ତ ପ୍ରକଳ୍ପର ଡିଜାଇନ୍‌ କରାଯାଉଛି। ତାହାକୁ ଯଦି ମନ୍ତ୍ରଣାଳୟ ମଞ୍ଜୁର ପ୍ରଦାନ କରିବ, ତାହା ହେଲେ ଆମେ ସେହି ଦିଗରେ ଆଗେଇବୁ ବୋଲି ସେ କହିଛନ୍ତି। ରାଉତରାୟଙ୍କ କହିବା ଅନୁଯାୟୀ, ବ୍ଲକଚେନ୍‌ ବ୍ୟବସ୍ଥା ହେଉଛି ଟାମ୍ପର-ପ୍ରୁପ୍‌ ଡାଟାବେସ୍‌, ଯେଉଁଥିରେ ତାହାକୁ ହ୍ୟାକ୍‌ କରିବା ବା ସେଥିରେ ହେରଫେର କରାଯାଇପାରିବ ନାହିଁ। ଫଳରେ ଲୋକୋ ପାଇଲଟ, ସିଗ୍‌ନାଲ ମ୍ୟାନେଜର ଓ ଷ୍ଟେଶନ ମ୍ୟାନେଜରଙ୍କ ଭଳି ଟ୍ରେନ୍‌ ପରିଚାଳନା ବ୍ୟବସ୍ଥା ସହ ସମ୍ପୃକ୍ତ ଥିବା ବ୍ୟକ୍ତି ରିୟଲ-ଟାଇମ୍‌ ଡେଟାକୁ ସହଜରେ ବ୍ୟବହାର କରିବାର ସୁବିଧା ପାଇପାରିବେ। ଏହି ବ୍ୟବସ୍ଥା ବହୁଳ ଭାବେ କ୍ରିପ୍ଟୋକରେନ୍ସି ଓ ବ୍ୟାଙ୍କ କାରବାରରେ ବ୍ୟବହୃତ ହେଉଛି।
ବାହାନଗା ରେଳ ଦୁର୍ଘଟଣାର ବହୁପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଧୁନିକ ଟ୍ରେନ୍‌ ଗମନାଗମନ, ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଆଇଆଇଟି ଭୁବନେଶ୍ୱର ଓ ଖଡ଼ଗପୁରକୁ ଦାୟିତ୍ୱ ଦେଇଥିଲେ। ତେବେ ରାଉତରାୟ କହିଛନ୍ତି, ଯଦି ବ୍ଲକଚେନ୍‌ ଟେକ୍ନୋଲୋଜି ସିଷ୍ଟମ୍‌ର ଡିଜାଇନ୍‌ ଭାରତୀୟ ରେଳପଥ ଦ୍ୱାରା ମଞ୍ଜୁରୀ ପାଇଯାଏ, ତାହା ହେଲେ ଆଇଆଇଟି ଖଡ଼ଗପୁର ଓ ଭୁବନେଶ୍ୱରର ୫୦ ଜଣ ସଦସ୍ୟଙ୍କୁ ଏହି ପ୍ରକଳ୍ପ ଲାଗି ନିୟୋଜିତ କରାଯିବ। ଏହା ଦୁଇବର୍ଷ ମଧ୍ୟରେ ଶେଷ ହେବ ବୋଲି ରାଉତରାୟ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଜୁନ୍‌ ୨ ତାରିଖରେ ବାଲେଶ୍ୱର ଜିଲା ବାହାନଗାରେ ୩ଟି ଟ୍ରେନ୍‌ ମଧ୍ୟରେ ଘଟିଥିବା ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଅନେକ ଶହ ଲୋକ ଆହତ ହୋଇଥିଲେ।

Share