ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ତାଙ୍କ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତ ସାଙ୍ଗଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ କାଶିପୁର ମୁଣ୍ଡା ସାହିର କିରଣ ମୁଣ୍ଡା (୨୫)। ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ସାହିର ୩ ସାଙ୍ଗ କିରଣ, ମୁନା ଗାଗରାଇ (୨୮) ଏବଂ ଅକ୍ଷୟ ନାଏକ (୩୫) ବୁଧବାର ରାତିରେ ଏକାଠି ମଦ ପିଇଥିଲେ। ପୁଣି ଆଉ ଶହେ ଟଙ୍କାର ମଦ ଆଣିବା ପାଇଁ କିରଣ ଅକ୍ଷୟଙ୍କୁ ୫୦୦ ଟଙ୍କା ଦେଇଥିଲେ। ତେବେ ଅକ୍ଷୟ ମଦ ନ ଆଣି ସେ କିଛି ମଦ ପିଇ ଏବଂ ହୋଟେଲରୁ ଖାଇବା ଆଣି ଘରକୁ ପଳାଇଥିଲେ। ଦୀର୍ଘ ସମୟ ଧରି ଅକ୍ଷୟ ନ ଫେରିବାରୁ କିରଣ ତାଙ୍କ ଘରକୁ ଯାଇ ତାଙ୍କୁ ଡାକି ଆଣିଥିଲେ। ଗଁା ମୁଣ୍ଡ ପଡ଼ିଆ ପାଖରେ ଦୁହିଁଙ୍କ ମଧ୍ୟରେ ଟଙ୍କାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ କିରଣ ଉତ୍ତ୍ୟକ୍ତ ହୋଇ ଏକ ପଥରରେ ଅକ୍ଷୟଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଅକ୍ଷୟଙ୍କ ମୃତ୍ୟୁ ଘଟିଥିଲା। ଅକ୍ଷୟଙ୍କ ମୃତ୍ୟୁ ଘଟିଥିବା ଜାଣି କିରଣ ସେଠାରୁ ଚାଲିଯାଇଥିଲେ। ଏ ନେଇ ଗୁରୁବାର ଅକ୍ଷୟଙ୍କ ଭାଇ ମିଲନ ନାଏକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ କାଶିପୁର ହାଣ୍ଡିଆ ଭାଟିରୁ କିରଣ ଏବଂ ତାଙ୍କ ଭାଇ ମୁନାଙ୍କୁ ଉଠାଇ ନେଇଥିଲା। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଚଳାଇଛି। ଏସଂକ୍ରାନ୍ତରେ ଥାନାରେ ଏକ ମାମଲା(ନଂ. ୨୩୯/ ୨୦୨୪) ରୁଜୁ ପରେ ଅଭିଯୁକ୍ତ କିରଣଙ୍କୁ ପୋଲିସ କୋର୍ଟଚାଲାଣ କରିଛି। ତେବେ ତଦନ୍ତ ପରେ ମୁନାଙ୍କୁ ଛାଡ଼ିଦେଇଥିବା ଜଣାପଡ଼ିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସଏ କହିଛନ୍ତି।