ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କରୁଥିଲେ, ବରଙ୍କୁ ଉଠାଇ ଆଣିଲା ପୋଲିସ

ପାଟଣା,୮ା୫(ସ୍ବ.ପ୍ର.): ପ୍ରଥମ ସ୍ତ୍ରୀ ଓ ପୁଅ ଥାଇ ଜଣେ ବିବାହିତ ଯୁବକ ଲୁଚାଛପାରେ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରୁଥିବା ସମୟରେ ମନ୍ଦିରରୁ ପୋଲିସ ଉଠାଇ ଆଣିଛି। ଦିତୀୟ ବିବାହ କରୁଥିବା ଯୁବକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଯଶିପୁର ଥାନା ସୁନାମୁହିଁ ଗ୍ରାମର ସୁନାରାମ ନାଏକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ନାଏକ(୩୩)।

ସୂଚନାଯୋଗ୍ୟ ପୂର୍ଣ୍ଣଚନ୍ଦ୍ର ୨୦୨୦ରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ଗ୍ରାମର ଚନ୍ଦ୍ରମଣି ନାଏକଙ୍କ ଝିଅ ମାମିନା ନାଏକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ଉଭୟଙ୍କର ୨ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି। ତେବେ ଦାମ୍ପତ୍ୟ କଳହ ଯୋଗୁ ମାମିନା ବାପଘରେ ରହି ଆସୁଥିଲେ। ତାଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ରବିବାର ହରିଚନ୍ଦନପୁର ଥାନା ଶଗଡ଼ପଟା ଗ୍ରାମର ସ୍ବର୍ଗତ ଧ୍ରୁବଚନ୍ଦ୍ର ଦଣ୍ଡପାଟଙ୍କ ଝିଅ ଲିଲିପାଙ୍କୁ ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ପାଟବେଢ଼ା ଗ୍ରାମରେ ଥିବା ଏକ ମନ୍ଦିରରେ ଲୁଚାଛପାରେ ବିବାହ କରୁଥିବା ଖବର ପାଇ ମାମିନା କେନ୍ଦୁଝର ଏସ୍‌ପି ମିତ୍ର ଭାନୁ ମହାପାତ୍ରଙ୍କୁ ଜଣାଇଥିଲେ। ଉଭୟ କଙ୍କଡାହାଡ଼ ଥାନା ପୋଲିସ ଏବଂ ତୁରୁମୁଙ୍ଗା ପୋଲିସ ବିବାହ ପୂର୍ବରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ଏନେଇ ତୁରୁମୁଙ୍ଗା ଥାନାରେ ୬୫/୨୩ ମାମଲା ରୁଜୁ କରି ବର ପୂର୍ଣ୍ଣଚନ୍ଦ୍ରଙ୍କୁ ଅଟକ ରଖିଥିବା ଏସ ଆଇ ସୁଜାତା ମହାନ୍ତ କହିଛନ୍ତି।

Share