Categories: ଖେଳ

‘ଦଳ ଘୋଷଣାର ଦେଢ଼ ଘଣ୍ଟା ପୂର୍ବରୁ ଜଣାଇଥିଲେ’

ମୁମ୍ବାଇ,୧୫।୧୨: ରୋହିତ ଶର୍ମାଙ୍କୁ ଟି୨୦ ଭଳି ଦିନିକିଆ ଦଳର ଅଧିନାୟକ ଭାର ଦିଆଯିବା ଉପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି। “ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଦଳ ଘୋଷଣା କରାଯିବାର ଦେଢ଼ ଘଣ୍ଟା ପୂର୍ବରୁ ମୋତେ ଚୟନକର୍ତ୍ତା ଜଣାଇଥିଲେ, ତୁମେ ଆଉ ଦିନିକିଆ ଦଳର ଅଧିନାୟକ ହେବ ନାହିଁ। ଏଥିପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ କେହି ଏ ସମ୍ପର୍କରେ ଆଲୋଚନା କରି ନ ଥିଲେ” ଏଭଳି କହି କୋହଲି ଦିନିକିଆ ଅଧିନାୟକ ଭାର ପରିବର୍ତ୍ତନ ଉପରେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁିଲିଙ୍କ ମନ୍ତବ୍ୟ ସହ ଏକମତ ନ ଥିବା ପ୍ରକାଶ କରିଛନ୍ତି।

“ମୁଁ ଯେତେବେଳେ ଟି୨୦ ଅଧିନାୟକ ପଦ ଛାଡ଼ିଲି, ବିସିସିଆଇ ଅଧିକାରୀଙ୍କୁ ମୋ ନିଷ୍ପତ୍ତି ଏବଂ ଏହା ପଛର କାରଣ ଜଣାଇଥିଲି। ମୋ ଚିନ୍ତାଧାରା ସେମାନଙ୍କ ସାମ୍ନାରେ ରଖିଥିଲି। ତାହାକୁ ସେମାନେ ଖୁସିରେ ଗ୍ରହଣ କରିଥିଲେ। ସେମାନେ ଥରେ ହେଲେ ବି କହି ନ ଥିଲେ, ତୁମେ ଟି୨୦ ଅଧିନାୟକ ପଦ ଛାଡ଼ ନାହିଁ। ସେମାନେ ମୋ ନିଷ୍ପତ୍ତିକୁ ଉଚିତ ପଦକ୍ଷେପ କହି ସ୍ବାଗତ କରିଥିଲେ। ସେହି ସମୟରେ ମୁଁ ଜଣାଇ ଦେଇଥିଲି, ଦିନିକିଆ ଓ ଟେଷ୍ଟ ଦଳର ନେତୃତ୍ୱ ନେବାକୁ ପସନ୍ଦ କରିବି। ଯଦି ବୋର୍ଡ ଅଧିକାରୀ ଓ ଚୟନକର୍ତ୍ତା ମୋତେ ଦାୟିତ୍ୱ ନ ଦେବାକୁ ଚିନ୍ତା କରନ୍ତି, ତେବେ ସେମାନେ ନିଷ୍ପତ୍ତି ନେଇପାରନ୍ତି। ମୋ ନିଷ୍ପତ୍ତି ସ୍ପଷ୍ଟ ଭାବେ ବିସିସିଆଇ ଅଧିକାରୀଙ୍କୁ ଜଣାଇଥିଲି। ସେମାନଙ୍କୁ ନିଷ୍ପତ୍ତି ବଦଳାଇବାର ବିକଳ୍ପ ମଧ୍ୟ ଦେଇଥିଲି” ବୋଲି କୋହଲି ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

Share