ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଝୁରି ଭୁଶି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଏହି ଘଟଣାରେ ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମର ଆଦିତ୍ୟପ୍ରସାଦ ବେହେରା, ସଦର ଥାନା ଓସ୍ତପୁର ପଞ୍ଚାୟତ ସାରଙ୍ଗ ଗ୍ରାମର ଦୁର୍ଯ୍ୟୋଧନ ଖଟୁଆଙ୍କ ପୁଅ ଅକ୍ଷୟଙ୍କୁ ୧୬ଥର ଛୁରି ଭୁସି ଆକ୍ରମଣ କରିଛନ୍ତି। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏଥିସହ ଲୋକେ ଆଦିତ୍ୟଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଆଦିତ୍ୟଙ୍କୁ ଅଟକ ରଖିବା ସହ ତାଙ୍କ ନିକଟରୁ ଛୁରିକୁ ଜବତ କରିଛି। ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ, ଅକ୍ଷୟ ଜଣେ ଇଲେକ୍ଟ୍ରିସିଆନ। ଏସି ମେକାନିକ୍‌ ଭାବେ କାର୍ଯ୍ୟ ସାରି ହନୁମାନ ମନ୍ଦିର ନିକଟରେ ବସିଥିଲେ। ଅପରପକ୍ଷରେ ଆଦିତ୍ୟଙ୍କ ପରିବାର କଂସାର ଗ୍ରାମରୁ ଆସି ନିକଟରେ ଟାଉନ ବଳରାମପୁରରେ ବସବାସ କରୁଛନ୍ତି। ଆଦିତ୍ୟ ସାମାନ୍ୟ ମାନସିକ ବିକୃତ ଥିବା ଯୁବକ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଆଦିତ୍ୟଙ୍କୁ ଅକ୍ଷୟ ମଜାରେ ତୁମ ପେଣ୍ଟ ଖସି ପଡ଼ିଥିବା କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଆଦିତ୍ୟ ଘରକୁ ଯାଇ ଛୁରି ଆଣି ଅକ୍ଷୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଭୁସି ଥିଲେ। ସ୍ଥାନୀୟ ଲୋକ ଅକ୍ଷୟଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।