ମାଛ ମାରିବାକୁ ଯାଇଥିଲେ, ମିଳିଲା ମୃତଦେହ

ଗଞ୍ଜାମ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଧୀନ ପୁରୁଣାବନ୍ଧ ଗ୍ରାମର ମତ୍ସ୍ୟଜୀବୀ ନବୀନା ବେହେରା(୪୨)ଙ୍କ ମୃତଦେହ ଖୋଖରକୁଦା ଗ୍ରାମ ନିକଟସ୍ଥ ସମୁଦ୍ର ବେଳାଭୂମିରୁ ଶନିବାର ପୋଲିସ ଜବତ କରିଛି।

ମିଳିଥିବା ସୂଚନା ମୁତାବକ, ମତ୍ସ୍ୟଜୀବୀ ନବୀନା ଶନିବାର ସନ୍ଧ୍ୟାରେ ଡଙ୍ଗା ଧରି ମାଛ ମାରିବାକୁ ଋଷିକୂଲ୍ୟା ନଦୀକୁ ଯାଇଥିଲେ। ହେଲେ ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଗ୍ରାମବାସୀଙ୍କ ସହଯୋଗରେ ଖୋଜାଖୋଜି ପରେ ପୋତାଗଡ଼ ନିକଟ ନଦୀକୂଳରେ ନବୀନାଙ୍କ ଡ଼ଙ୍ଗାକୁ ଠାବ କରିଥିଲେ।

ଏନେଇ ନବିନାଙ୍କ ସ୍ତ୍ରୀ ମାଛ ମାରିବାକୁ ଯାଇ ସ୍ବାମୀ ନିଖୋଜ ଥିବା ନେଇ ସ୍ଥାନୀୟ ଥାନାରେ ଏକ ଅଭିଯୋଗ କରିଥିଲେ। ଘଟଣାର କିଛି ସମୟ ପରେ ଖୋଖରକୁଦା ଗ୍ରାମ ନିକଟସ୍ଥ ସମୁଦ୍ର ବେଳାଭୂମି ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବର ମିଳିଥିଲା। ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share