ନୂଆଦିଲ୍ଲୀ,୨୩।୧୧:ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ହୋଇଛି। ମ୍ୟାଚ ହାରିବା ଯୋଗୁ ଅଧିନାୟକ ରୋହିତ ଶର୍ମା ଭାଙ୍ଗି ପଡିଥିଲେ। ଏପରିକି ସେ ପଡିଆରେ କାନ୍ଦି ପକାଇଥିଲେ। ରୋହିତଙ୍କ ଆଖିର ଲୁହ ସାରା ଦେଶବାସୀଙ୍କ ମନକୁ ବଖାଣୁଥିଲା। ଏହାରି ଭିତରେ ରୋହିତଙ୍କ ଝିଅ ସମାଇରାଙ୍କ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସମାଇରା ନିଜ ବାପାଙ୍କ ବର୍ତ୍ତମାନର ଅବସ୍ଥା କଥା କହୁଛନ୍ତି।
ତେବେ ଏହି ଭିଡିଓଟି ପୁରୁଣା। ଯେତେବେଳେ ରୋହିତ ଶର୍ମା କୋଭିଡ ପଜିଟିଭ ଥିଲେ। ବର୍ତ୍ତମାନ ଏହି ଭିଡିଓଟିକୁ ଏବେର ପରିସ୍ଥିତିକୁ ନେଇ ଲିଙ୍କ୍ କରାଯାଇ ଭାଇରାଲ କରାଯାଉଛି। ଭିଡିଓରେ ରୋହିତ କିପରି ଅଛନ୍ତି ପଚରାଯିବାରୁ ସମାଇରା କହୁଛନ୍ତି, ବାପା ନିଜ ରୁମରେ ଅଛନ୍ତି। ଏବେ ପଜେଟିଭ ଅଛନ୍ତି। କିଛିଦିନ ପରେ ସେ ପୁରା ଠିକ୍ ହୋଇଯିବେ।