ଫସଲ ନଷ୍ଟକାରୀ ପୋକଙ୍କୁ ପୂଜା କରି ନଦୀରେ ଭସାଇଲେ

ରାଇଘର, ୩୧।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ମା କଳସୀ ଠାକୁରାଣୀ ପୀଠରେ ମଙ୍ଗଳବାର ଭାଦ୍ରବ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରାରେ ରାଇଘର ବ୍ଲକ ସାତପାଲି ଗ୍ରାମବାସୀ ଏକତ୍ରିତ ହୋଇ ପ୍ରଥମେ ଗାଁ ପରିକ୍ରମା କରିଥାନ୍ତି। ପରେ ଠାକୁରାଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି। ଏହି ପୂଜାରେ ମଣିଷକୁ କ୍ଷତି ପହଞ୍ଚାଉଥିବା ପୋକକୁ ସଂଗ୍ରହ କରାଯାଏ। ତା’ପରେ ସେଗୁଡ଼ିକୁ ପୂଜାସ୍ଥଳକୁ ନେଇ ସେଠାରେ ଫୁଲ ସିନ୍ଦୂର ଲଗାଇ ପୂଜା କରାଯାଏ। ସେଠାରୁ ପୋକଗୁଡିକୁ ନଦୀରେ ପକାଯାଏ। ଏହାଦ୍ୱାରା ଘରେ ହେଉଥିବା ଶଁବାଳୁଆ ସହ ଅନ୍ୟ ପୋକ, ଧାନ, ମକା ପରିବାରେ ଲାଗୁଥିବା ପୋକ କୌଣସି ନଷ୍ଟ କରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି। ଭାଦ୍ରବ ମାସ ଶୁକ୍ଳ ତୃତୀୟାରେ ଏହି ଯାତ୍ରା ଅନୁଷ୍ଠିତ ହୁଏ। ଏହି ଯାତ୍ରାରେ ମା ପେଣ୍ଡ୍ରାଣୀ, ମା କଳସୀ, ମା ମଉଳୀଙ୍କ ପୂଜାରୀ ଯୋଗ ଦେଇ ପୂଜା ବିଧି କରିଥାନ୍ତି l ଏହା ପରେ ଗ୍ରାମମୁଖିଆ (ଗାଉଁଟିଆ) ମୁନା ରାଜପୁତ ସହ ପାତ୍ର, ମାଳୀ ଓ ନେଙ୍ଗୀ କୁଳ ସମେତ ସାତପାଲିର ମୁଖିଆ ରହି ନୂଆଖାଇ ତାରିଖ ଧାର୍ଯ୍ୟ କରନ୍ତି। ୫ ତାରିଖରେ ନବାନ୍ନ କରାଯିବ ବୋଲି ଘୋଷଣା ହୋଇଛି। ଏହି ଯାତ୍ରାରେ ୫୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ପୂଜା ପରେ ପ୍ରସାଦ ପାଇ ସମସ୍ତେ ନିଜ ଘରକୁ ଫେରିଥାନ୍ତି।