ମାସେ ପରେ ଅବସର ନେଇଥାନ୍ତେ, ନିଲମ୍ବନ ହେଲେ

ବାସୁଦେବପୁର, ୨୬।୭ (ନାରାୟଣ ପ୍ରସାଦ ବାରିକ): ମାସେ ପରେ ଅବସର ନେଇଥାନ୍ତେ ଶିକ୍ଷକ। କିନ୍ତୁ ଏହା ପୂର୍ବରୁ ଚାକିରି ପାଇଁ ଦେଇଥିବା ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବାରୁ ନିଲମ୍ବିତ ହୋଇଛନ୍ତି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୁଆଗଡ଼ିଆ ପଞ୍ଚାୟତ ବୀଣାପଦାସ୍ଥିତ ନିରାକାର ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ଦାସ।
ଶିକ୍ଷକ ଦାସ ଜାଲ ସାର୍ଟିଫିକେଟ୍‌ ଦେଇ ଦୀର୍ଘବର୍ଷ ଧରି ଚାକିରି କରୁଥିଲେ। ବନ୍ତ ବ୍ଲକରୁ ସେ ବଦଳି ହୋଇ ଆସି ୨୦୦୮ରୁ ଏହି ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ତାଙ୍କ ବିଇଡି ସାର୍ଟିଫିକେଟ୍‌ ନକଲି ବୋଲି ଅଭିଯୋଗ ହେବା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଏନେଇ ତଥ୍ୟ ମଗାଯାଇଥିଲା। ଯାଞ୍ଚ ପରେ ସାର୍ଟିଫିକେଟ ନକଲି ବୋଲି ସ୍ପଷ୍ଟ ହେବାରୁ ବିଇଓ ଜଗବନ୍ଧୁ ସାହୁଙ୍କ ଚିଠି ନଂ. ୨୮୦୯ ବଳରେ ସୋମବାର ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତେବେ ଏହି ଶିକ୍ଷକ ଅବସର ନେବାର ମାସକ ପୂର୍ବରୁ ନିଲମ୍ବିତ ହେବା ଓ ତାଙ୍କ ବିରୋଧରେ ଏନେଇ ବିଇଓ ଥାନାରେ ଅଭିଯୋଗ କରିବା ଚର୍ଚ୍ଚାର ବିଷୟ ହୋଇଛି।