ସାର୍ଟିଫିକେଟ୍‌ ପିଛା ହଜାରେରୁ ୧୫ଶହ ନେଉଥିଲେ ପ୍ରଧାନ ଶକ୍ଷୟିତ୍ରୀ

ମାଲକାନଗିରି,୧୧।୮(ଡି.ଏନ.ଏ.): ମାଲକାନଗିରି ଜିଲା ସିନ୍ଧ୍ରିମାଳ କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନାୟକ ମୋ ସ୍କୁଲ ଅଭିଯାନ ନାମରେ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପରେ ତାଙ୍କୁ ମଙ୍ଗଳବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତେବେ ଏହାକୁ ବିରୋଧ କରି ବୁଧବାର ବିଦ୍ୟାଳୟର କିଛି ଛାତ୍ରୀ ଧାରଣାରେ ବସିଛନ୍ତି।

ମିଳିଥିବା ସୂଚନା ମୁତାବକ, ବିଦ୍ୟାଳୟରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ପାସ୍‌ କରିଥିବା ପ୍ରାୟ ୨୫/୩୦ ଜଣ ଛାତ୍ରୀଙ୍କଠାରୁ ପ୍ରଧାନ ଶିକ୍ଷୟିତ୍ରୀ ନାୟକ ସାର୍ଟିଫିକେଟ ଦେବା ସମୟରେ ପ୍ରତ୍ୟେକଙ୍କଠାରୁ ୧ ହଜାରରୁ ୧୫୦୦ ଲେଖାଏ ଟଙ୍କା ମୋ ସ୍କୁଲ ଅଭିଯାନରେ ସ୍କୁଲ ପାଚେରି ନିର୍ମାଣ ସହ ବିଦ୍ୟାଳୟର ଅନ୍ୟ କାର୍ଯ୍ୟରେ ଲାଗିବ କହି ଆଦାୟ କରିଥିଲେ। ଏନେଇ ଛାତ୍ରୀ କନକଲତା ଖରା, ରଶ୍ମିତା ଖରା, ରଶ୍ମିତା ପଡିଆମୀ,ବିଦୁସ୍ମିତା କୋଡେ, ଶବନମ ହରିଜନ ପ୍ରମୁଖ ସେ ସମୟରେ ପ୍ରତିବାଦ କରି ପାରି ନ ଥିଲେ ମଧ୍ୟ ପରେ ବିଭିନ୍ନ ସ୍ଥାନରେ କହିଥିଲେ। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା ଖବର ପାଇ ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ବ୍ଲକ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବେହେରା(ବିଇଓ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଇଓ ଏହାର ତଦନ୍ତ କରିବାକୁ ଏବିଇଓ ଅଶୋଭ ରଞ୍ଜନ ମାଳିଙ୍କୁ କହିଥିଲେ। ଏବିଇଓ ରଞ୍ଜନ ଘଟଣାର ତଦନ୍ତ ପରେ ଏଥିରେ ସତ୍ୟାସତ୍ୟ ଥିବା ଜଣାପଡିଥିଲା। ଉକ୍ତ ରିପୋର୍ଟକୁ ଭିତ୍ତିକରି ବିଇଓ ତାଙ୍କ ଚିଠି ନଂ. ୧୮୨୦/ ୨୧ରେ ପ୍ରଧାନ ଶିକ୍ଷୟିତ୍ରୀ ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।