ଆତ୍ମଘାତୀ ବିସ୍ଫୋରଣକାରୀଙ୍କ କଟାମୁଣ୍ଡ ମିଳିଲା

ଇସଲାମାବାଦ,୩୧।୧: ପାକିସ୍ତାନର ପେଶାଓ୍ବରର ଏକ ମସଜିଦ୍‌ ଉପରେ ଆତ୍ମଘାତୀ ଆକ୍ରମଣର ଦ୍ୱିତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରିଲିଫ ଏବଂ ଉଦ୍ଧାରକାରୀ ଦଳ ବୋମା ବିସ୍ଫୋରଣ ସ୍ଥଳରେ ଆବର୍ଜନା ହଟାଇବା କାର୍ଯ୍ୟ କରୁଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେଠାରୁ ବିସ୍ଫୋରଣକାରୀଙ୍କ କଟାମୁଣ୍ଡ ମିଳିଥିବା ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହାଛଡ଼ା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯୩କୁ ବୃଦ୍ଧି ପାଇଛି। ସେହିଭଳି ୨୨୧ଜଣ ଗୁରୁତର ଆହତ ହୋଇଥିବା ସେମାନେ କହିଛନ୍ତି।

କହିରଖୁଛୁ, ସୋମବାର ଅପରାହ୍ନ ପ୍ରାୟ ୧.୪୯ ମିନିଟ ସମୟରେ ପେଶାଓ୍ବରର ପୋଲିସ ଲାଇନ୍‌ ଅଞ୍ଚଳରେ ଥିବା ମସଜିଦରେଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ଏହି ସମୟରେ ସେଠାରେ ପୋଲିସ, ସେନା ଏବଂ ବୋମା ନିଷ୍କ୍ରିୟକାରୀ ଦଳର କର୍ମଚାରୀମାନେ ଉପସ୍ଥିତ ଥଲେ। ଆଗଧାଡ଼ିରେ ଛିଡ଼ା ହୋଇଥିବା ଆତ୍ମଘାତି ବିସ୍ଫୋରଣକାରୀ ନିଜକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ। ଏହାଫଳରେ ଛାତଟି ଖସି ପଡ଼ିଥିଲା। ଏହାତଳେ ଅନେକ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି।

Share