ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଗିରଫ

ରାଇଘର, ୧୧ା୧୧(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନାରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଚେନ୍ଦ୍ର ନନ୍ଦ ବିଶ୍ବାସ ଓ କନିଷ୍ଠ ଶିକ୍ଷକ କେଶବ ମାଝି ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। କୁନ୍ଦେଇ ପୋଲିସ ସେମାନଙ୍କୁ ପଚରା ଉଚରା କରିବାପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି।
ସୂଚନାନୁଯାୟୀ, ଗୁରୁବାର ଛାତ୍ରୀଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ହାଟଭରାଣ୍ଡି ମେଡିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କ ସହ ବଳାତ୍କାର ହୋଇଥିବା ଜାଣିପାରି ପୀଡ଼ିତାଙ୍କ ବାପା କୁନ୍ଦେଇ ଥାନାରେ ଲିଖିତଭାବେ ଜଣାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ସମ୍ପୃକ୍ତି ଥିବାନେଇ ଏତଲାରେ ଉଳ୍ଲେଖ ରହିଥିଲା। ଏତଲା ଆଧାରରେ ପୋଲିସ ଉଭୟ ଶିକ୍ଷକଙ୍କୁ ଅଟକ ରଖିଥିଲା। ଛାତ୍ରୀ ଜଣକ ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଉମରକୋଟ ଓ ପରେ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନବରଙ୍ଗପୁର ଏସ୍‌ଆଇ ପୂର୍ଣ୍ଣିମା ଟେଟେ ପୀଡ଼ିତାଙ୍କ ବୟାନ ନେଇଛନ୍ତି। ତାଙ୍କ ବୟାନକୁ ଆଧାରକରି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା କୁନ୍ଦେଇ ଥାନାଧିକାରୀ ପ୍ରଶାନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି। ୨ ଅଭିଯୁକ୍ତଙ୍କୁ ୩୭୬ ଡି.ବି ଆଇପିସି/୬ ଅଫ୍‌ ପୋକ୍ସୋ ଆକ୍ଟରେ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।