ମୁଣ୍ଡ ବିନ୍ଧୁଥିଲେ…

ମୁଣ୍ଡ ବିନ୍ଧିବା ପଛରେ କେତେକ କାରଣ ରହିଛି। ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଥିଲେ ମୁଣ୍ଡ ବିନ୍ଧିଥାଏ। ଶରୀରରେ ଜଳୀୟ ଅଂଶ କମିଗଲେ ମୁଣ୍ଡ ବିନ୍ଧେ। ଥଣ୍ଡାଜନିତ ସମସ୍ୟା ଏହାର ଅନ୍ୟତମ କାରଣ। ଏହି ସମସ୍ୟା ଅଧିକ ଦିନ ଲାଗି ରହିଲେ ତାହାକୁ ମାଇଗ୍ରେନ୍‌ କୁହାଯାଏ। ଏଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇବାକୁ ପଡେ। ହେଲେ ଏପରି କେତେକ ଉପାୟ ରହିଛି, ଯାହାକୁ ଆପଣେଇ ପାରିଲେ ଆପଣ ମୁଣ୍ଡବିନ୍ଧା ସମସ୍ୟାଠାରୁ ନିଜକୁ ଦୂରେଇ ରଖିପାରିବେ। ସବୁଠାରୁ ଖାସ୍‌ କଥା ହେଲା ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖନ୍ତୁ। ତେଣୁ ପ୍ରଚୁର ପାଣି ପିଅନ୍ତୁ। ଯଦି ନିଶା ଦ୍ରବ୍ୟ ସେବନ କରୁଛନ୍ତି ତେବେ ଏପରି ଅଭ୍ୟାସ ଛାଡିବାକୁ ଚେଷ୍ଟା କରନ୍ତୁ। ମୁଣ୍ଡ ବିନ୍ଧିବାର ଆଉ ଏକ କାରଣ ହେଲା ଠିକ ଭାବରେ ନିଦ ନ ହେବା। ତେଣୁ ପ୍ରତିଦିନ ଆବଶ୍ୟକ ମୁତାବକ ନିଦ୍ରା ଯାଆନ୍ତୁ। ଆଉ ଏକ କଥା ହେଲା ଖାଦ୍ୟପେୟ। ସବୁବେଳେ ସୁପାଚ୍ୟ ଖାଦ୍ୟ ଖାଆନ୍ତୁ। ଏପରି ଖାଦ୍ୟ ଖାଆନ୍ତୁ ନାହିଁ, ଯାହା ଅଜୀର୍ଣ୍ଣ ସମସ୍ୟା ସୃଷ୍ଟି କରିବ।