କେନ୍ଦ୍ରାପଡ଼ା,୧୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରର ତଳବାରଙ୍ଗସ୍ଥିତ ମୁଣ୍ଡକଟା ଗୋପୀନାଥଙ୍କ ୩ ଦିନିଆ ମହୋତ୍ସବ ବୁଧବାରଠାରୁ ଆରମ୍ଭ ହୋଇଛି। ଭଜନ କୀର୍ତ୍ତନ ସହ ପୂଜା ଆରାଧନାରେ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏଠାକାର ବିଶେଷତ୍ୱ ହେଉଛି, ମୁଣ୍ଡ ନ ଥିବା ଗୋପୀନାଥ ବର୍ଷସାରା ପୂଜା ପାଉଛନ୍ତି। ମାତ୍ର ପହିଲି ରଜଠାରୁ ଶେଷ ରଜ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ମୁଣ୍ଡ ତିଆରି କରାଯାଇ ପୂଜା କରାଯାଇଥାଏ। ଶ୍ରୀଜୀଉଙ୍କ ନିକଟରେ ପୂଜା ପାଉଥିବା ଶ୍ରୀବଳରାମ ଜୀଉ ଓ ଗ୍ରାମଦେବତୀ ବଟେଶ୍ୱରୀ ଏହି ଦିନ ମଧ୍ୟ ମୁଣ୍ଡକଟା ଅବସ୍ଥାରେ ପୂଜା ପାଇଥାନ୍ତି।
ସହରର ନୂଆ ବସ୍ଷ୍ଟାଣ୍ଡଠାରୁ ମୁଣ୍ଡକଟା ଗୋପୀନାଥ ପୀଠ ୪ କିମି ଦୂର ହୋଇଥିବା ବେଳେ ଇଚ୍ଛାପୁରସ୍ଥ ଶ୍ରୀବଳଦେବ ଜୀଉଙ୍କ ମନ୍ଦିରଠାରୁ ମାତ୍ର ୨ କିମି ଦୂରରେ ଏହି ପୀଠ ଅବସ୍ଥିତ। ସ୍ଥାନୀୟ ଅଞ୍ଚଳର ଇତିହାସ ଅନୁସାରେ, ସହରର ପୁରୁଣା ବସ୍ଷ୍ଟାଣ୍ଡରେ ଶ୍ରୀବଳଦେବ ଜୀଉଙ୍କର ମନ୍ଦିର ଥିଲା। ୧୬୬୩ ମସିହାରେ ମୋଗଲ ଶାସକ ଔରଙ୍ଗଜେବଙ୍କ ଖାନ ଇ ଦୌରାନ ୧୨୨୦ରେ ନିର୍ମିତ ଏହି ପୁରୁଣା ମନ୍ଦିରକୁ ନଷ୍ଟ କରିଥିଲେ। ତତ୍କାଳୀନ ସମୟରେ ଶ୍ରୀଜୀଉଙ୍କୁ ସେବାୟତମାନେ ସଖୀବଟଠାରେ ଗୁପ୍ତରେ ରଖିଥିଲେ। ମନ୍ଦିରରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉଙ୍କୁ ନ ପାଇ ଚଳନ୍ତି ପ୍ରତିମା ଶ୍ରୀଗୋପୀନାଥ ଜୀଉ, ଶ୍ରୀବଳରାମ ଜୀଉ ଓ ବଟେଶ୍ୱରୀଙ୍କ ମୁଣ୍ଡ କାଟି ଫୋପାଡି ଦେଇଥିଲେ। ଏହି ପ୍ରତିମାଗୁଡ଼ିକ କାଳକ୍ରମେ ତଳବାରଙ୍ଗ ପୀଠରେ ପୂଜା ପାଇଆସୁଛନ୍ତି। ପହିଲି ରଜରେ ଶ୍ରୀଜୀଉଙ୍କ ଅଙ୍ଗସୌଷ୍ଟବକୁ ପୂର୍ଣ୍ଣାଙ୍ଗ କରାଯାଏ। ଶ୍ରୀଜୀଉଙ୍କ କାନ୍ଧ ଉପରେ ଚନ୍ଦନ, ଅଗୁରୁ, କଜ୍ଜ୍ୱଳ, ମଲ୍ଲୀକଢ଼ ଓ ତରାଟ କଢ଼ରେ ମୁଣ୍ଡ ଓ ମୁଖମଣ୍ଡଳ ତିଆରି କରାଯାଇଥାଏ। ମସ୍ତକରେ ରୁପା ଛତ୍ରୀ ଓ ସ୍ବର୍ଣ୍ଣ ଚିତା ସହ ହାତରେ ରୁପା ବଂଶୀ ଶ୍ରୀଜୀଉଙ୍କୁ ପୂର୍ଣ୍ଣାଙ୍ଗ କରିଥାଏ। ସନ୍ଧ୍ୟା ସମୟରେ ଶ୍ରୀଜୀଉଙ୍କ ପାଇଁ ସ୍ବତନ୍ତ୍ର ଭୋଗ, ପଣା ଓ ଫଳ ଅର୍ପଣ ହୁଏ। ଅପରପକ୍ଷରେ ଭଗ୍ନ ମୂର୍ତ୍ତି ପୂଜନ ବର୍ଜନୀୟ। ମାତ୍ର ଏଠାରେ ଶତାଧିକ ବର୍ଷ ଧରି ମୁଣ୍ଡକଟା ଗୋପୀନାଥଙ୍କର ପୂଜାର୍ଚ୍ଚନା କରାଯାଉଛି।
ଏ ସମ୍ପର୍କରେ ପଣ୍ଡିତ ହୃଷୀକେଶ ରଥ କୁହନ୍ତି, ବେଦରେ ମୂିର୍ତ୍ତି ପୂଜନ ବ୍ୟବସ୍ଥା ନ ଥିଲା। ଶ୍ରଦ୍ଧାଳୁଙ୍କ ଏକ ସକାରାତ୍ମକ ଚିନ୍ତାଧାରା ପ୍ରକାଶ ପାଇଁ ମୂର୍ତ୍ତିର ଆବଶ୍ୟକତା ଦେଖାଦେଲା। ହିନ୍ଦୁ ସଂସ୍କୃତି ଓ ପରମ୍ପରା ଅନୁଯାୟୀ, ବହୁ ଗ୍ରାମରେ ସମ୍ପୂର୍ଣ୍ଣ ଅବୟବ ନ ଥାଇ ପଥରକୁ ଗ୍ରାମଦେବତୀ ଭାବେ ପୂଜା କରାଯାଉଛି। ଯେଉଁଥିରେ ଶ୍ରଦ୍ଧାଳୁ ଭଗବତ ଦର୍ଶନ ପାଉଛନ୍ତି। ରାଜସ୍ଥାନର ଖାତୁଶ୍ୟାମରେ ବେଲାଳସେନଙ୍କ କଟାମୁଣ୍ଡ ମୂର୍ତ୍ତି ପୂଜା ପାଉଛି। ଅବୟବ ନୁହେଁ, ସକାରାତ୍ମକ ଚିନ୍ତାଧାରା ମନରେ ଉଦ୍ରେକ ପାଇଁ ମୂର୍ତ୍ତି ପୂଜାର ଆରମ୍ଭ ହୋଇଛି। ପୂଜକ ମହେଶ୍ୱର ପତି କହିଛନ୍ତି, ଶ୍ରୀଜୀଉଙ୍କ ମୂର୍ତ୍ତିରେ ଅଷ୍ଟସଖୀଙ୍କ ଅବୟବ ଥିବା ବେଳେ ନିମ୍ନରେ ଗୋଚାରଣ ଦୃଶ୍ୟ ଅଛି। ସେହିପରି ଶ୍ରୀବଳରାମ ଓ ବଟେଶ୍ୱରୀଙ୍କ ବେକଠାରୁ ନିମ୍ନ ପର୍ଯ୍ୟନ୍ତ ସୁରକ୍ଷିତ ଅଛି। ମନ୍ଦିର ପରିଚାଳନା ସମ୍ପର୍କରେ ସେ କୁହନ୍ତି, ମନ୍ଦିରର ନିଜସ୍ବ ସମ୍ପତ୍ତିି ଖୁବ୍କମ। ଗ୍ରାମର ୨ ପରିବାର ଏହାର ପୂଜା ପରିଚାଳନା ପାଇଁ ପୂର୍ବରୁ ବିଧି ବ୍ୟବସ୍ଥା ଥିବାବେଳେ ଏବେ ଗ୍ରାମବାସୀ ଏଥିରେ ସହଯୋଗ କରୁଛନ୍ତି। ସେହିପରି ଶ୍ରୀବଳଦେବ ଜୀଉଙ୍କ ଦେବୋତ୍ତର ସଂସ୍ଥା ଅଧୀନରେ ଏହି ମନ୍ଦିର ଥିଲା। ଏହାର ପରିଚାଳନା ପାଇଁ କଠା (ଅନ୍ନପ୍ରସାଦ ପାଇଁ ଆନୁଷଙ୍ଗିକ ସାମଗ୍ରୀ) ବ୍ୟବସ୍ଥା ଥିଲା ା କୌଣସି କାରଣରୁ ଏହା ବହୁଦିନ ବନ୍ଦ ପରେ ଗ୍ରାମବାସୀଙ୍କ ଉଦ୍ୟମ ଫଳରେ କଠା ବ୍ୟବସ୍ଥା ପୁନର୍ବାର ଆରମ୍ଭ ହୋଇଛି। ଶ୍ରୀଜୀଉଙ୍କ ସମ୍ପର୍କରେ ବିଶଦ ଗବେଷଣା ହୋଇ ନ ଥିବାରୁ ଏହାର ପ୍ରଚାର ପ୍ରସାର ହୋଇ ପାରୁ ନ ଥିବା ଶ୍ରୀଜଗନ୍ନାଥ ଚେତନା ସମିତିର କେନ୍ଦ୍ରାପଡ଼ା ଜିଲା ସମ୍ପାଦକ ଅକ୍ଷୟ କୁମାର ପାଣି ମତ ଦେଇଛନ୍ତି।